ଯୁକ୍ତ ଦୁଇ ନାମଲେଖା: ରାଜ୍ୟର ୮୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ନାମଲେଖା ବନ୍ଦ
ଭୁବନେଶ୍ୱର: ସିଟ୍ ତୁଳନାରେ ଯୁକ୍ତ ୨ ନାମଲେଖା ହାର କମ୍ ଥିବା ବା ଆଦୌ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (HSS) ଉପରେ ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟର ୮୯ ଟି ଏଚ୍ଏସ୍ଏସ୍ ରେ ଆଉ ନାମଲେଖା ହେବ ନାହିଁ। ସେହିପରି ୩୨୫ଟି ଏଚ୍ଏସ୍ଏସ୍ ରେ ୫୦ ପ୍ରତିଶତ୍ ସିଟ୍ ହ୍ରାସ ହେବ ଓ ୨୫୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବର୍ଦ୍ଧିତ ସିଟ୍ ପ୍ରତ୍ୟାହାର କରି ନିଆଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୩୬ ହଜାର ୩୨ଟି ସିଟ୍ ହ୍ରାସ କରାଯାଇ ନାମଲେଖା ହାର ଅପେକ୍ଷାକୃତ ଅଧିକ ରହିଥିବା ଓ ଆବଶ୍ୟକତା ଥିବା ଏଚ୍ଏସ୍ଏସ୍ ଗୁଡ଼ିକୁ ଉକ୍ତ ସିଟ୍ ଆବଣ୍ଟନ କରାଯିବ ବୋଲି କୁହାଯାଇଛି ।
ତେବେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ୮୯ଟି ଏଚ୍ଏସ୍ଏସ୍ରେ ଜଣେ ମଧ୍ୟ ଛାତ୍ରୀଛାତ୍ର ନାମ ଲେଖାଇ ନାହାନ୍ତି । ତେଣୁ ଉକ୍ତ ଏଚଏସ୍ଏସ୍ ଗୁଡ଼ିକରେ ନାମଲେଖା ନେଇ ନିର୍ଦ୍ଦେଶାଳୟ ପକ୍ଷରୁ କଟକଣା ଜାରି କରାଯାଇଛି ।
ଓଇ ଆକ୍ଟ, ୧୯୬୯ ରୁଲ୍-୬-ବି(ଜେ) ଅନୁସାରେ ଚଳିତ ଶିକ୍ଷାବର୍ଷଠାରୁ ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକରେ ଥିବା ୬୮୦୪ ସିଟ୍ରେ ନାମଲେଖା ହେବ ନାହିଁ । ସେହିପରି ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଏଚ୍ଏସ୍ଏସ୍ ରେ ବୃଦ୍ଧି କରାଯାଇ ଥିବା ସିଟ୍ ମଧ୍ୟ ବିଭାଗ ପକ୍ଷରୁ ପ୍ରତ୍ୟାହାର କରି ନିଆଯିବ । କାରଣ ୨୦୨୦-୨୧ ଶିକ୍ଷାବର୍ଷରେ ମାଟ୍ରିକ ପାସ୍ ହାରକୁ ଦୃଷ୍ଟିରେ ରଖି ୮୭୨ ଏଚ୍ଏସ୍ଏସ୍ ରେ ପ୍ରାୟ ୫୬ ହଜାର ସିଟ୍ ବୃଦ୍ଧି କରାଯାଇଥିଲା ।
ପରବର୍ତ୍ତୀ ଶିକ୍ଷାବର୍ଷରେ ମାଟ୍ରିକ୍ ପାସ୍ହାର କମିଲା । ତେଣୁ ଚଳିତ ବର୍ଷଠାରୁ ୨୫୩ ଏଚ୍ଏସ୍ଏସ୍ ରେ ବର୍ଦ୍ଧିତ ୧୩ ହଜାର ୮୨୧ ସିଟ୍ ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଗତ ୨ ଶିକ୍ଷାବର୍ଷରେ ୩୨୫ଟି ଏଚ୍ଏସ୍ଏସ୍ ରେ ଥିବା ୩୦,୮୧୪ ସିଟ୍ର ଏକ ଚତୁର୍ଥାଂଶ ସିଟ୍ ରେ ନାମଲେଖା ହୋଇପାରି ନାହିଁ । ତେଣୁ ଉକ୍ତ ଏଚ୍ଏସ୍ଏସ୍ ଗୁଡ଼ିକରୁ ସିଟ୍ ସଂଖ୍ୟା ୫୦ ପ୍ରତିଶତ କମାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହିକ୍ରମରେ ଉକ୍ତ ଶିକ୍ଷାନୁଷ୍ଠାନରେ ସିଟ୍ ସଂଖ୍ୟା ୧୫ ହଜାର ୪୦୭କୁ ହ୍ରାସ ପାଇବ ।












Click it and Unblock the Notifications