'ମୋ କଲେଜ' ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି 'ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍'
ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଦୁନିଆ ସହ ଯୋଡ଼ି ସେମାନଙ୍କ ମନରେ ଉଦ୍ୟୋଗୀ ମନୋଭାବ ବଢ଼ାଇବା ଲାଗି ରାଜ୍ୟ ସରକାରଙ୍କ 'ମୋ କଲେଜ' ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି 'ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍' କାର୍ଯ୍ୟକ୍ରମ। ବୁଧବାର ଦିନ ଏହାକୁ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଉଦଘାଟନ କରିଥିଲେ।

'ମୋ କଲେଜ'ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଯୁବ ଓଡ଼ିଆ ଉଦ୍ୟୋଗୀ ତଥା 'ନେଷ୍ଟଏଓ୍ଵେ'ର ସିଇଓ ଅମରେନ୍ଦ୍ର ସାହୁ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ନିଜ ଷ୍ଟାର୍ଟଅପ୍ ଯାତ୍ରା ବିଷୟରେ କହିଥିଲେ। ଏଥିରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ଷ୍ଟାର୍ଟଅପ୍କୁ ନେଇ ସେମାନଙ୍କ ମନରେ ଥିବା ଅନେକ ପ୍ରଶ୍ନର ଉତ୍ତର ପାଇଥିଲେ। ଏହି ଅବସରରେ ୫ ଜଣ ଶ୍ରେଷ୍ଠ ପ୍ରଶ୍ନକର୍ତ୍ତାଙ୍କୁ ମୋ କଲେଜ ଅଭିଯାନ ପକ୍ଷରୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀ ବାଗ୍ଚୀ କହିଥିଲେ, "ସମସ୍ତଙ୍କ ମନ ଭିତରେ ଉଦ୍ୟୋଗୀ ମନୋଭାବ ରହିବା ଦରକାର। ଜଣେ ଉଦ୍ୟୋଗୀ ହିଁ ଗୋଟିଏ ସଂସ୍ଥା ବା ଗୋଟିଏ ଅନୁଷ୍ଠାନକୁ ତିଆରି କରିଥାଏ। ତେଣୁ ଓଡ଼ିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ ପରିଚୟ ଦେବାପାଇଁ ଆମମାନଙ୍କୁ ଉଦ୍ୟୋଗ ପଛର ଉଦ୍ୟୋଗୀଟିଏ ହେବାକୁ ପଡ଼ିବ।" "ଆମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଖିରେ ଅନେକ ସ୍ୱପ୍ନ ରହିଛି। ସେମାନେ ସବୁ କ୍ଷେତ୍ରରେ ଦକ୍ଷ ଓ ସମର୍ଥ। ସେମାନଙ୍କୁ କେବଳ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ସେମାନଙ୍କ ସ୍ୱପ୍ନ, ପ୍ରତିଭାକୁ ସଫଳ ରୂପ ଦେବାକୁ ଏକ ମାଧ୍ୟମ ଦରକାର। ଏଥିପାଇଁ 'ମୋ କଲେଜ'ଅଭିଯାନ ପକ୍ଷରୁ 'ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍'ର ପରିକଳ୍ପନା କରାଯାଇଛି। ଆଜି ଏହାର ପ୍ରଥମ ଓ୍ଵେବିନାରରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ତେଣୁ ଆଗାମୀ ଦିନରେ ଆହୁରି ଅଧିକ ଯୁବପିଢ଼ି ଏଥିରେ ସାମିଲ ହେବେ ବୋଲି ଆମେ ଆଶାବାଦୀ ଅଛୁ'', କହିଥିଲେ ଶ୍ରୀ ଆକାଶ ଦାସନାୟକ।
'ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍' କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭ୍, ୯୩.୫ ରେଡ୍ ଏଫଏମ, ପ୍ରିଲ୍ୟୁଡ୍ ମିଡିଆ କମ୍ୟୁନିକେସନ ଇଭେଣ୍ଟସ୍, ଦି କ୍ଲିକ୍, ଭୁବନେଶ୍ୱର ନାଇଟ୍ସ ରାଉଣ୍ଡ ଟେବୁଲ ୨୩୦ ଆଦି ପାର୍ଟନର୍ ଅଛନ୍ତି।












Click it and Unblock the Notifications