ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ : ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ
ଆଜି ମାଧ୍ୟମିକ ଶିକ୍ଷା ପରିଷଦର ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।
ଭୁବନେଶ୍ବର: ଆଜି ମାଧ୍ୟମିକ ଶିକ୍ଷା ପରିଷଦର ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସହ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଫଳାଫଳ ମିଳିବ ।

ତେବେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେ, ପରୀକ୍ଷା ନ ଦେଇ ଫଳ ପାଇବେ ମାଟ୍ରିକ ପରୀକ୍ଷାର୍ଥୀ । ସେହିପରି ଚଳିତ ଥର 6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ମାଟ୍ରିକ ରେଜଲ୍ଟ ।
ଦଶମ ଶ୍ରେଣୀ ବୋର୍ଡ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି ।
ପରୀକ୍ଷାର୍ଥୀଙ୍କ ନମ୍ବର ଅପଲୋଡ ପାଇଁ ରାଜ୍ୟରେ ୨୭୬୬ ମେଣ୍ଟର ସ୍କୁଲ ଚୟନ କରାଯାଇଥିଲା । ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଦଶମର ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିଲେ ସେମାନଙ୍କ କ୍ଷେତ୍ରରେ ଦଶମରୁ ୩୦ ପ୍ରତିଶତ ୱେଟେଜ ଓ ନବମ ଶ୍ରେଣୀର ୭୦ ପ୍ରତିଶତ ୱେଟେଜ ଦେବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିଲେ ସେମାନଙ୍କ କ୍ଷେତ୍ରରେ ନବମ ଶ୍ରେଣୀରେ ରଖିଥିବା ସର୍ବାଧିକ ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ସଂପୃକ୍ତ ବିଦ୍ୟାଳୟର ପୂର୍ବ ୪ବର୍ଷ ଅର୍ଥାତ୍ ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ସ୍କୁଲ୍ ଫଳାଫଳକୁ ମଧ୍ୟ ବିଚାରକୁ ନିଆଯାଇଥିଲା।

ଏକ୍ସରେଗୁଲାର ଓ କରେସ୍ପଣ୍ଡେନ୍ସ ଏକ୍ସରେଗୁଲାର କ୍ଷେତ୍ରରେ ପୂର୍ବ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାର କରି ହାରାହାରି ନମ୍ବର ଦେବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ପୁରୁଣା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବରୁ ଦେଇଥିବା ପରୀକ୍ଷା ନମ୍ବରକୁ ବିବେଚନା କରି ସେମାନଙ୍କ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅନୁସାରେ ଆସନ୍ତାକାଲି ପରୀକ୍ଷାଫଳ ପ୍ରକାଶ ପାଇବ । କିନ୍ତୁ ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବେ ସେମାନଙ୍କ କ୍ଷେତ୍ରରେ କୋଭିଡ ପରିସ୍ଥିତି ସୁଧୁରିଲେ ଅଫ୍ଲାଇନ୍ ପରୀକ୍ଷା କରାଯିବାକୁ ବୋର୍ଡ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି ।
କିନ୍ତୁ କରେସ୍ପଣ୍ଡେନ୍ସ (ରେଗୁଲାର) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ନୂଆ ବ୍ୟାଚ ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ପାଇବନାହିଁ । ଏହି ଦୁଇ ବର୍ଗରେ ପାଖାପାଖି ୫ହଜାର ଛାତ୍ରଛାତ୍ରୀ ରହିଛନ୍ତି । ସେମାନେ ପୂର୍ବରୁ କୌଣସି ପରୀକ୍ଷା ଦେଇନଥିବାରୁ ବୋର୍ଡ କର୍ତ୍ତୃପକ୍ଷ ଏମାନଙ୍କ ମୂଲ୍ୟାୟନ ପାଇଁ କୌଣସି ଆଧାର ପାଇ ନଥିବା ସୂଚନା ମିଳିଛି । ପରିସ୍ଥିତି ସୁଧୁରିଲେ ଏହି ପରୀକ୍ଷାର୍ଥୀମାନେ ମଧ୍ୟ ଅଫ୍ଲାଇନ୍ରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications