ବାତିଲ ହେବ କି ୟୁଜି/ପିଜି ପରୀକ୍ଷା: ପଢନ୍ତୁ, କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ?
ୟୁଜି/ପିଜି ପାଠପଢା ଓ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ବାତିଲ୍ ହେବା ପରେ ଅନ୍ୟାନ୍ୟ ପରୀକ୍ଷା ବାତିଲ୍ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ୟୁଜି, ପିଜି ସେମିଷ୍ଟର୍ ସମେତ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାକୁ ବର୍ତ୍ତମାନ ସମୟରେ ନ କରିବାକୁ ଛାତ୍ରଛାତ୍ରୀ ଟୁଇଟର୍ ମାଧ୍ୟମରେ ଦାବି ଉପସ୍ଥାପନ କରିଛନ୍ତି। ଏହାରି ମଧ୍ୟରେ ୟୁଜି/ପିଜି ପାଠପଢା ଓ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ସେ କହିଛନ୍ତି ଯେ, 'ଆସନ୍ତା ୧୨ରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ଲକ-ଡାଉନ ବେଳେ ପାଠପଢ଼ା ସମ୍ପର୍କରେ ଅନୁଧ୍ୟାନ କରାଯିବ । ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ ।' କୁଳପତିମାନଙ୍କ ସହ ବୈଠକ ପରେ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ବୈଠକରେ ସେମାନଙ୍କ ମତ ବି ନିଆଯିବ । ଏହାପରେ ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ପରେ ଦେଶର ବିଭିନ୍ନ ପରୀକ୍ଷା ବାତିଲ୍ କରିବାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପରୀକ୍ଷାର୍ଥୀମାନେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜର ସେମିଷ୍ଟର୍ ପରୀକ୍ଷାକୁ ବାତିଲ୍ କରିବାକୁ ଏବେ ଜୋରଦାର ଦାବି ହୋଇଛି। ପାଖାପାଖି ଗୋଟିଏ ବର୍ଷ ଧରି ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା କି ପରୀକ୍ଷା ହୋଇପାରିନି।












Click it and Unblock the Notifications