ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ: ଛାତ୍ରୀଛାତ୍ରୀ କହିଲେ, ସହଜ ଥିଲା ଇଂରାଜୀ ପ୍ରଶ୍ନପତ୍ର, ଭଲ ହୋଇଛି ପରୀକ୍ଷା
ସୁରୁଖୁରରେ ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା । ଆଜି (ଏପ୍ରିଲ ୨୯) ତାରିଖରୁ ଆରମ୍ଭ ହୋଇଛି ସମେଟିଭ୍-୨ ମାଟ୍ରିକ, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା । ସକାଳ ୮ରୁ ଆରମ୍ଭ ହୋଇ ୧୦ଟାରେ ସରିଛି ପରୀକ୍ଷା ।
ଭୁବନେଶ୍ୱର: ସୁରୁଖୁରରେ ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା । ଆଜି (ଏପ୍ରିଲ ୨୯) ତାରିଖରୁ ଆରମ୍ଭ ହୋଇଛି ସମେଟିଭ୍-୨ ମାଟ୍ରିକ, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା । ସକାଳ ୮ରୁ ଆରମ୍ଭ ହୋଇ ୧୦ଟାରେ ସରିଛି ପରୀକ୍ଷା ।

କୋଭିଡ୍ କଟକଣା ଭିତରେ ୩ ହଜାର ୫୪୦ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରିକ୍ଷାର୍ଥୀ । ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରିକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଇଛନ୍ତି । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪ ହଜାର ୪୪୩ ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି ।
ତେବେ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ପ୍ରଶ୍ନ ସହଜ ଥିଲା, ଭଲ ହୋଇଛି ପରୀକ୍ଷା । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇ ଫଳାଫଳ ପ୍ରକାଶ କରାଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ଯୋଗୁଁ ସିଧାସଳଖ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।
ମାଟ୍ରିକ୍ ପରୀକ୍ଷା କିପରି ଚାଲିଛି ଏକ୍ସାମ୍ ହଲରେ ଯାଇ ସ୍ଥିତି ପରଖିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରୀକ୍ଷା ଭଲରେ ଭଲରେ ହୋଇଛି । ପିଲା ଚାପମୁକ୍ତ ହୋଇ ପରୀକ୍ଷା ଦେଉଥିବା ମନ୍ତ୍ରୀ କହିଛନ୍ତି । ସୁପରିଚାଳନା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର ହୋଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପିଶୂନ୍ୟ କରିବା ପାଇଁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାଡ୍ ଗଠନ କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର ରହିଛି । ସୁରୁଖୁରୁରେ ଏକ୍ସାମ ଚାଲିଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।












Click it and Unblock the Notifications