ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା:ଭିସେରାରେ ଇଥାଇଲ ସେବନ, ସୂଚନା ଦେଲେ ଏସପି
ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା । ଦୁଇ ମାସ ପରେ ଆସିଲା ଭିସେରା ରିପୋର୍ଟ । ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ନେଇ ମିଳିଛି ତଥ୍ୟ । ଆର୍ଥାତ୍ ମୃତ୍ୟୁ ପୂର୍ବରୁ ମଦ୍ୟ ପାନ କରିଥିଲେ ଚିନ୍ମୟୀ । ସେହିପରି ଚିନ୍ମୟୀ ନିଜ ପୁରୁଷ ବନ୍ଧୁଙ୍କ ସହ ଏକ ହୋଟେଲରେ ବସି ମଦ୍ୟପାନ କରୁଥିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କୟଦ ହୋଇଥିବା ନେଇ ସୂଚନା ଦେଇଛନ୍ତି
ସମ୍ବଲପୁର ଏସପି ।
ପୂର୍ବରୁ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିବା ଯୋଗୁଁ ଆସିଥିଲା । ହେଲେ ଏହା ଆତ୍ମହତ୍ୟା ନା କେହି ତାଙ୍କର ହତ୍ୟା
କରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ବୋଲି ସମ୍ବଲପୁର ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି ।

ସୂଚନାଥାଉ ଯେ, ଫେବୃଆରୀ ୨୮ ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା ।
ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ପର ଦିନ ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଝିଅର ମୃତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ରହିଛି ବୋଲି ଚିନ୍ମୟୀଙ୍କ ପରିବାର ଲୋକେ ଦାବି କରୁଛନ୍ତି ।
ସେପଟେ ଏହି ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସ ଟୁଡୁଙ୍କୁ ପଚରାଉଚରା କରାଯାଇଥିଲା । ଉଭୟଙ୍କର ଲାଇଡିଟେକସନ୍
ଟେଷ୍ଟ ମଧ୍ୟ କରାଯାଇଥିଲା । ଉଭୟ ସତ କହୁଥିବା ନେଇ ରିପୋର୍ଟରେ ଆସିଥିଲା । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ । ପ୍ରୀତିମାନ ଓ ମାନସ ଟୁଡୁଙ୍କୁ ଗିରଫ ନ କରି କେବଳ ନୋଟିସ ଦେଇ ଛାଡି ଦିଆଯାଇଥିଲା ।












Click it and Unblock the Notifications