ନିଖୋଜର ୧୦ ବର୍ଷ ପରେ ମାଟିତଳୁ ମିଳିଳା କଙ୍କାଳ, ହତ୍ୟା ଅଭିଯୋଗରେ ୩ ଗିରଫ
ନିଖୋଜର ୧୦ ବର୍ଷ ପରେ ମାଟିତଳୁ ମିଳିଳା କଙ୍କାଳ, ହତ୍ୟା ଅଭିଯୋଗରେ ୩ ଗିରଫ
ଢେଙ୍କାନାଳ: ପ୍ରାୟ ୧୦ ବର୍ଷ ହେଲା ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖାଲର ଦୋଳଗୋବିନ୍ଦ ବେହେରା ବେହେରାଙ୍କ କଙ୍କାଳ ମାଟିତଳୁ ମିଳିଛି । ୨୦୧୩ ଜୁଲାଇରୁ ନିଖୋଜ ଥିଲେ ଦୋଳଗୋବିନ୍ଦ । ଛେଳି ଚୋରି ରୋକିବାକୁ ବାଡ଼ରେ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ମୃତ୍ୟୁ ବରଣ କରିବା ପରେ ଘଟଣାକୁ ଲୁଚାଇବା ନିମନ୍ତେ ୩ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ୨୦୧୩ ଜୁଲାଇ ୨୩ରେ ଘଟିଥିବା ଏହି ଘଟଣା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିଲେ ମଧ୍ୟ ପୋଲିସ ତଦନ୍ତରେ ସେଭଳି ଆଗ୍ରହ ଦେଖାଇ ନ ଥିଲା ।

ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନେ ହେଲେ ମେଘାତଳବାହାଳି ଅଞ୍ଚଳର ବଟକୃଷ୍ଣ ଦେହୁରୀ ଓରଫ୍ ଟେରୁ (୨୭), ଦିଲୀପ ନାୟକ (୪୦) ଏବଂ ସୁନ୍ଦରିଖାଲ ଅଞ୍ଚଳର ସନ୍ତୋଷ ପ୍ରଧାନ । ଦୋଳଗୋବିନ୍ଦଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦେଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ଆଜି ପୋଲିସ ସୂଚନା ଦେଇଛି । ସେପଟେ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ଦୁଇଦିନ ଧରି ଜେସିବି ଦ୍ୱାରା ମାଟି ଖୋଳି କଙ୍କାଳ ବାହାର କରିଛି ପୋଲିସ । ଯୁବକଙ୍କ ଶରୀରର କିଛି ହାଡ଼ ମାଟିତଳୁ ମିଳିବା ପରେ ଟେଷ୍ଟିଂ ପାଇଁ ଲାବକୁ ପଠା ଯାଇଛି ।
ତେବେ ଢେଙ୍କାନାଳ ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ କହିଛନ୍ତି, ଅଭିଯୁକ୍ତମାନଙ୍କ ଛେଳି ପ୍ରତ୍ୟେକ ଦିନ ଚୋରି ହେଉଥିଲା। ଦୁର୍ବୃତ୍ତକୁ ଧରିବା ନିମନ୍ତେ ସେମାନେ ଛେଳି ରଖୁଥିବା ସ୍ଥାନର ଚାରିପଟ ବାଡରେ ବିଦ୍ୟୁତ୍ ତାର ବିଛାଇ କରେଣ୍ଟ ଚାର୍ଜ କରିଦେଇଥିଲେ। ଏହି ତାରରେ ପଡ଼ି ଦୋଳଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ପରେ ଦୋଳଗୋବିନ୍ଦର ମୃତଦେହକୁ ନଷ୍ଟ କରିବା ନିମନ୍ତେ ନିକଟସ୍ଥ ଏକ ସ୍ଥାନରେ ଗାତ ଖୋଳି ପୋତି ଦେଇଥିଲେ। ଅଭିଯୁକ୍ତମାନେ ଏହା ସ୍ୱୀକାର କରିଛନ୍ତି। ଗାତ ଖୋଳିଥିବା ସ୍ଥାନକୁ ଦେଖାଇବା ପରେ ଏହି ସ୍ଥାନକୁ ଖୋଳି ମୃତ ବ୍ୟକ୍ତିଙ୍କ ହାଡ଼ ବାହାର କରାଯାଇଛି । ଏଥିସହ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।












Click it and Unblock the Notifications