ପରଦା ହଟୁଛି, ଗୁମର ଖୋଲୁଛି : ପୁରୁଷ ବନ୍ଧୁଙ୍କ ସହ ବିରିୟାନୀ ଖାଇଥିଲେ ଝରାଫୁଲ, ଓୟୋ ରୁମ୍ ସିଲ୍
ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଥିବା ଏକ ହୋଟେଲରେ ପୁରୁଷ ବନ୍ଧୁଙ୍କ ସହ ବିରିୟାନୀ ଖାଇଥିଲେ ଝରାଫୁଲ । ସିସିଟିଭିରେ କଏଦ ହେଲା ହୋଟେଲରେ ଯିବା ଆସିବା ସମୟରେ ଫୁଟେଜ୍ । ରାତି ବିତାଇଥିବା ଓୟୋ ରୁମ ନଂ 201କୁ ସିଲ୍ କଲା ପୁଲିସ ।
ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁର ରହସ୍ୟରେ ଦିନକୁ ଦିନ ଚାଞ୍ଚଲ୍ୟକର ଦିଗ ସାମ୍ନାକୁ ଆସୁଛି । ପୁଲିସର ତଦନ୍ତ ଯେତିକି ଆଗକୁ ବଢୁଛି ହତ୍ୟାକାଣ୍ଡର ନୂଆ ଫର୍ଦ୍ଦ ସେତିକି ଉନ୍ମୋଚିତ ହେଉଛି । ଏବେ ଏହି ମୃତ୍ୟୁ ମାମଲାରେ ପୁଲିସ ହାତରେ ଆଉ ଏକ ସିସିଟିଭି ଫୁଟେଜ୍ ଲାଗିଛି । ଯେଉଁଥିରେ ଝରାଫୁଲ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ବିରିୟାନୀ ଖାଇଥିବା ଦେଖିବାକୁ ମିଳିଛି । ଏହି ହୋଟେଲ୍ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳର ବୋଲି ଜଣାପଡିଛି । ଉକ୍ତ ହୋଟେଲର ସିସିଟିଭି ଫୁଟେଜକୁ ପୁଲିସ ଜବତ କରି ତଦନ୍ତ ପରିସରଭୁକ୍ତ କରିଛି ।
ଅପରପକ୍ଷରେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ବ୍ୟବହାର କରିଥିବା ସ୍କୁଟି ଏବଂ ଅଭିଯୁକ୍ତ ରାକେଶ ଯେଉଁ ସ୍କୁଟିରେ ମୃତଦେହ ନେଇ ଯାଜପୁର କୁଆଖିଆରେ ଫିଙ୍ଗିଥିଲା ସେହି ସ୍କୁଟିକୁ ଖୋଜୁଛି ପୁଲିସ । ଏହାସହ ଅନ୍ୟ ଏକ ଅଭିଯୁକ୍ତକୁ ଧରିବାକୁ ପୋଲିସର ସ୍ବତନ୍ତ୍ର ଟିମ୍ କଟକ ଓ ଭୁବନେଶ୍ବର ଚଢାଉ ଜାରି ରଖିଛି ।

ସେହିପରି ଏହି ଘଟଣାର ଯେଉଁ ସବୁ ଦିଗ ପ୍ରତି ପୁଲିସ ତଦନ୍ତ କରୁଛି ଏହାକୁ ନେଇ ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ। ଏଠାରେ କହି ରଖୁଛୁ କି ଆଜିର ସିସିଟିଭି ଫୁଟେଜ ପୂର୍ବରୁ ପୁଲିସ ହାତରେ ଆଉ ଏକ ସିସିଟିଭି ଫୁଟେଜ୍ ଲାଗିଥିଲା । ଯେଉଁଥିରେ ଭୁବନେଶ୍ବରର ଧର୍ମବିହାର ଗେଷ୍ଟ ହାଉସରେ ରାକେଶ ସହ ରାତି ବିତାଇଥିଲେ ଝରାଫୁଲ । ଓୟୋର ଯେଉଁ 201 ରୁମରେ ସେମାନେ ରହିଥିଲେ ପୁଲିସ ତାକୁ ସିଲ୍ କରିଛି । ଉକ୍ତ ଗେଷ୍ଟହାଉସରୁ ବାହାରିବା ପୂର୍ବରୁ ଝରାଫୁଲର ମୃତ୍ୟୁ ହୋଇ ସାରିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ଏବେ ସାଇଣ୍ଟିଫିକ୍ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ଯଦି ହୋଟେଲରୁ ବାହାରିବା ପୂର୍ବରୁ ଝରାଫୁଲଙ୍କର ମୃତ୍ୟୁ ହୋଇ ସାରିଥିଲା । ତେବେ କିଭଳି ତାଙ୍କର ମୃତ୍ୟୁ ହେଲା ତାହା ଶବବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବ ।












Click it and Unblock the Notifications