ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା: ଚିଠି ବଢ଼ାଇଲା ଚର୍ଚ୍ଚା, ଲେଖିଛନ୍ତି ୨ ଜଣଙ୍କ ନାଁ
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା ଆସିଛି ନୂଆ ମୋଡ଼ । ରାଜଶ୍ରୀଙ୍କ ଗାଡି ଡିକ୍କିରୁ ମିଳିଛି ଏକ ଚିଠି । ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି ।
କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା ଆସିଛି ନୂଆ ମୋଡ଼ । ରାଜଶ୍ରୀଙ୍କ ଗାଡି ଡିକ୍କିରୁ ମିଳିଛି ଏକ ଚିଠି । ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି । ଜଣେ କୋଚ୍ଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନୁହେଁ ବୋଲି ତାଙ୍କ ମାଆ ଦାବି କରିଛନ୍ତି । ସେପଟେ ଜବତ ଜିନିଷ ଫୋରେନସିକ୍ ଲ୍ୟାବ୍ ପଠାଇବା କଟକ ଗ୍ରାମାଞ୍ଚଳ ପୋଲିସ । ମୃତ ରାଜଶ୍ରୀଙ୍କ ଭିସେରା ନମୂନା ସଂଗ୍ରହ କରାଯାଇଛି । ସୁଇସାଇଡ୍ ନୋଟ୍, କଲମ, ପିନ୍ଧା ବସ୍ତ୍ର ମଧ୍ୟ ଜବତ କରାଯାଇଛି ବୋଲି କଟକ ପୋଲିସ କହିଛି ।

ଉଲ୍ଲେଖଥାଉ କି, ମହିଳା କ୍ରିକେଟର ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିଲେ। ଗତକାଲି ତାଙ୍କ ଝୁଲନ୍ତା ମୃତଦେହ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସୁବାଷି ରିଜର୍ଭ ଫରେଷ୍ଟରେ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ମିଳିଥିଲା। ତା'ପରେ ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କ ମୃତଦେହ ମିଳିଥିଲା ।
ଯଦି ଏହା ରାଜଶ୍ରୀଙ୍କ ହାତଲେଖା ହୋଇଥାଏ ତେବେ ଏ ଚିଠି ଖାଲି ରାଜଶ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲିବନି ବରଂ ଓଡ଼ିଶା କ୍ରିକେଶ ଆସୋସିଏଶନରେ ଚାଲିଥିବା ଅନେକ କେଳେଙ୍କାରୀର ଗୁମର ବି ଖୋଲିବ । ତେବେ ଚିଠିରେ ଲେଖା ହୋଇଥିବା ଏହି ଓସିଏ ସଦସ୍ୟଙ୍କ ନାଁ ମାଣ୍ଡେଲା ସାର ବୋଲି ଉଲ୍ଲେଖ କରିଛନ୍ତି ରାଜଶ୍ରୀ ।
ତେବେ କିଏ ଏହି ମାଣ୍ଡେଲା ସାର ? ଚୟନ କମିଟିରେ ସେ ନାହାନ୍ତି । ତଥାପି ଖେଳାଳି ଚୟନରେ ତାଙ୍କର ଗୁରୁ୍ୱପୂର୍ଣ୍ଣ ଭୂମିକା ରହିଛି କି ? ତାଙ୍କ ପାଇଁ ରାଜଶ୍ରୀ ଯୋଗ୍ୟତା ଥାଇ ବି ଖେଳାଳି ତାଲିକାରୁ ବାଦ ପଡିଲେ କି ? ମାଣ୍ଡେଲା ସାର କୌଣସି ପଦପଦବୀରେ ନ ଥାଇ ବି ବେଶ ପ୍ରଭାବଶାଳୀ ବୋଲି ଜାଣିବାକୁ ମିଳିଛି । ତାଙ୍କ ବିନା ଅନୁମତିରେ କୁଆଡେ ଟିମରେ କାହାକୁ ସ୍ଥାନ ମିଳେନି । ସେ କେମିତି ଏତେ ପ୍ରଭାବଶାଳୀ ହେଲେ? ସେ କାହା ବଳରେ ଏତେ ବଳୀୟାନ ? ତେବେ ହାତ ଲେଖା ଚିଠିକୁ ଆଧାର କରି ଓସିଏର ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ତଦନ୍ତ କରିବ କି ? ତେବେ ଯାହା ଜଣାପଡିଛି ଏହି ମାଣ୍ଡେଲା ସାରଙ୍କ ପ୍ରକୃତ ନାଁ ସନ୍ତୋଷ ଦାସ ।
ସେପଟେ ମହିଳା କ୍ରିକେଟରକୁ ନ୍ୟାୟ ଦେବା ପାଇଁ ଓସିଏ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି କଟକ ନଗର ବିଜେପି। ରାଜଶ୍ରୀ ମୃତ୍ୟ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ବିଜେପିର କହିବା ଅନୁସାରେ, ରାଜ୍ୟରେ ମହିଳା ଅସୁରକ୍ଷିତ ଥିଲା ବେଳେ ଏବେ କ୍ରୀଡ଼ାରେ ମଧ୍ୟ ମହିଳା ଅସୁରକ୍ଷିତ ହୋଇ ପଡିଲେଣି। ରାଜଶ୍ରୀଙ୍କ ଯେପରି ମୃତ୍ୟୁ ହେଉଛି, ଏଥିରୁ ଜଣାପଡୁଛି ରାଜ୍ୟରେ ସରକାର ସମ୍ପୁର୍ଣ ଅପାରଗ ହୋଇପଡ଼ିଛି। ବର୍ତ୍ତମାନ ସମମୟରେ ରାଜଶ୍ରୀଙ୍କୁ ନ୍ୟାୟ ଦେବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେପି କର୍ମୀ।
କହିରଖୁ କି, ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ଆସନ୍ତା ୧୮ ଜାନୁଆରୀରୁ ପୁଡ଼ୁଚେରୀରେ ବିସିସିଆଇ ସିନିଅର ମହିଳା ଦିନିକିଆ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ତିନିଟି ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ୨୫ ଜଣିଆ ସ୍କ୍ୱାଡ୍ ପ୍ରସ୍ତୁତ କରି କଟକରେ ପ୍ରଶିକ୍ଷଣ ଦିଆଯାଉଥିଲା। ପରେ ତା' ଭିତରୁ ଟିମ୍ ଚୟନ କରାଯାଇଥିଲା। ତେବେ ୧୬ ଜଣିଆ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ନଥିବାରୁ ରାଜଶ୍ରୀ ଖୁବ୍ ଅସନ୍ତୁଷ୍ଟ ଥିଲେ। ପରେ ସେ ହଠାତ୍ ନିଖୋଜ ହୋଇଯାଇ ଥିଲେ । ବହୁତ୍ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ।












Click it and Unblock the Notifications