ଜୀବିତ ନାବାଳକକୁ ମୃତ ଦର୍ଶାଇଥିଲା ପୁଲିସ : 2 ଜଣଙ୍କୁ ହୋଇଥିଲା ଜେଲ, ପୁଲିସ ଗଣିବ 5 ଲକ୍ଷ ଟଙ୍କା
ନିଖୋଜ ହୋଇଯାଇଥିବା ନାବାଳକକୁ ହତ୍ୟା କରାଯାଇଥିବା କହିଥିଲା ପୁଲିସ । ଦୁଇ ଜଣଙ୍କୁ ଗିରଫ କରି ଜେଲ ପଠାଇବା ପରେ ଫେରିଆସିଥିଲା ନାବାଳକ
ଭୁବନେଶ୍ୱର : ଜୀବିତ ଥିଲା ନାବାଳକ । ହେଲେ ହଠାତ୍ ନିଖୋଜ ହୋଇଯାଇଥିଲା । ପିଲା ନ ମିଳିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କଲା ନାବାଳକକୁ ହତ୍ୟା କରାଯାଇଥିବା କହିଲା । କେବଳ ସେତିକି ନୁହେଁ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି ଜେଲ୍ ହାଜତରେ ଭର୍ତ୍ତି କରିଦେଲା । ଏଇଠି ପୁଲିସ ତାର ତଦନ୍ତ ସାରିଥିଲା । ହେଲେ ନାବାଳକର ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିଲା । ଦୁଇ ବର୍ଷ ପରେ ନିଖୋଜ ହୋଇଥିବା ଉକ୍ତ ନାବାଳକ ଜୀବିତ ହୋଇ ଘରକୁ ଫେରି ଆସିଥିଲା । ସେପଟେ ହତ୍ୟା ଅଭିଯୋଗରେ ଦୁଇ ବର୍ଷ ହେଲା ଜେଲ୍ ହାଜତରେ ରହୁଥିଲେ ଦୁଇ ଜଣ ଅଭିଯୁକ୍ତ । ପୁଲିସର ଏହି ଖାମଖିଆଲି ତଦନ୍ତ ଏବେ ମହଙ୍ଗା ପଡିଛି ।

ଘଟଣାଟି ଖୋଦ୍ ଓଡିଶାର ବରଗଡ ଅଞ୍ଚଳର ।
ଘଟଣାରୁ ପ୍ରକାଶ, 2016ରେ ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳର ଜଣେ ନାବାଳକ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ଦିନ ତଦନ୍ତ କରିବା ପରେ ନାବାଳକକୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କୁ କହିଥିଲା । ସେହିପରି ତଦନ୍ତକୁ ଆହୁରି ଯୋରଦାର୍ କରି କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ।
ଏହି ଘଟଣାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ୍ 2018ରେ ସଂପୃକ୍ତ ନିଖୋଜ୍ ନାବାଳକ ଜୀବିତ ହୋଇ ଫେରି ଆସିଥିଲେ । ଏହାପରେ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା । ଯେଉଁ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିଲା ସେମାନେ ଏନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ । ପୁଲିସ ମିଛ ତଦନ୍ତ କରି ସେମାନଙ୍କୁ ଅଭିଯୁକ୍ତ ସଜାଇ ଦେବା ସହ ସେମାନଙ୍କୁ ଦୀର୍ଘ ଦୁଇ ବର୍ଷ କାଳ ଜେଲ୍ ହାଜତରେ ରଖାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗୁରୁବାର ରାଜ୍ୟ ମାନବଧିକାର ଆୟୋଗ ଶୁଣାଣି କରିଛନ୍ତି । ଯେଉଁ ଦୁଇ ଜଣଙ୍କୁ ତଦନ୍ତକାରୀ ପୁଲିସ ଅଧିକାରୀ ଗିରଫ କରିଥିଲେ ସେମାନଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ । ସେହିପରି ଏହି ଟଙ୍କା ସଂପୃକ୍ତ ତଦନ୍ତକାରୀ ଅଧିକାରୀ ବହନ କରିବେ ବୋଲି ତାଙ୍କ ନିର୍ଦ୍ଦେଶନାମାରେ କୁହାଯାଇଥିବା ଏହି ଘଟଣା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି ।












Click it and Unblock the Notifications