ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ, ସମଲେଇ ମନ୍ଦିରରେ ହୋଇଥିଲା ଲଣ୍ଡା: କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ବର: ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ ରହିଛି ।
ଚାର୍ଜସିଟ୍ ରିପୋର୍ଟ ଅନୁସାରେ, ପୂର୍ବରୁ ବି ବ୍ରଜରାଜନଗରରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ଉଦ୍ୟମ କରିଥିଲା । କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ହତ୍ୟା ଉଦ୍ୟମ କରିଥିଲା, କିନ୍ତୁ ସେଦିନ ଗୋପାଳକୁ କୌଣସି ସୁଯୋଗ ମିଳି ନଥିବା ତଥ୍ୟରୁ ଜଣା ପଡିଛି । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରି ନାହିଁ ।

ରିପୋର୍ଟ ଅନୁସାରେ, ନବ ଦାସଙ୍କୁ ହତ୍ୟା କରିବାକୁ ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇଥିଲା ଗୋପାଳ । ଏଠାରେ ଲଣ୍ଡା ହୋଇ ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲେ । ଏଥିପାଇଁ ସୁଯୋଗ ଅପେକ୍ଷାରେ ଥିଲେ ଗୋପାଳ ।
ଚାର୍ଜସିଟ୍ରେ ଉଲ୍ଲେଖ ଥିବା କାରଣ ଅନୁଯାୟୀ, ଗୋପାଳ ବଡ଼ମାଲ ଥାନାରେ ଥିବାବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ । ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ ଦାସ । ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ । ନବଙ୍କ ସମର୍ଥକଙ୍କ ଧମକ ପାଇ ଭୟଭୀତ ହୋଇ ଯାଇଥିବା ଗୋପାଳ ଦାସ ଚେକିଂ ନ କରି ଗାଡ଼ି ଛାଡ଼ି ଦେଇଥିଲେ । ଏହି ଘଟଣା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରୁଥିଲେ ଗୋପାଳ ଦାସ । ତେଣୁ ନିଜେ ମରିବା ପୂର୍ବରୁ ନବ ଦାସଙ୍କୁ ମାରିବା ପାଇଁ ଗୋପାଳ ମନସ୍ଥ କରି ଏହି କାଣ୍ଡ ଭିଆଇଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ ଅଛି।
ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି। ଅଭିଯୁକ୍ତ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।












Click it and Unblock the Notifications