ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି
ସ୍ଥାନୀୟ ଥାନାରେ ୧୨ ଜଣଙ୍କ ନାଁରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ରହିଛି । ନୃତାଙ୍ଗ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳଙ୍କ ନାଁରେ ବି ଏତଲା ଦିଆଯାଇଛି ।
ମାହାଙ୍ଗା: ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କଲାଣି ମାହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ସ୍ଥାନୀୟ ବିଧାୟକଙ୍କ ଉପରକୁ ବିଜେପି ଆଙ୍ଗୁଟି ଉଠାଇଥିବା ବେଳେ ବିଧାୟକ ନିଜେ କହିଛନ୍ତି ଘଟଣା ପ୍ରତି ସେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେ । ସେପଟେ ସ୍ଥାନୀୟ ଥାନାରେ ୧୨ ଜଣଙ୍କ ନାଁରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ରହିଛି । ନୃତାଙ୍ଗ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳଙ୍କ ନାଁରେ ବି ଏତଲା ଦିଆଯାଇଛି ।
ତେବେ ମିଳିଥିବା ଖବର ଅନୁସାରେ, କୁଳମଣି ବରାଳଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଗୁରୁତର ଥିବା ଦିବ୍ୟସିଂହଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଅନ୍ୟପଟେ ଘଟଣାରେ ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିଜେପି ନେତା । ରାଜ୍ୟ ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଯାଇଛି । ଯେଉଁଠି ପଶ୍ଚିମବଙ୍ଗ ମୁହାଁ ଓଡିଶା ସରକାର ବୋଲି ଗୋଲଖ ମହାପାତ୍ର କହିଛନ୍ତି ।
ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, 'ବିଜେଡି ପଶ୍ଚିମବଙ୍ଗ ସରକାର ଭଲି ପ୍ରତିଶୋଧ ପରାୟଣ ହେଉଛି । ପ୍ରତିଶୋଧ ପରାୟଣ ହୋଇ ଏଭଳି ଜଘନ୍ୟ କାଣ୍ଡ ଭିଆଉଛି । PMAYରେ ହେରଫର କଥା ଉଠାଇବାର ଏ ହେଉଛି ପରିଣତି । ୨୦୧୮ରେ ଆମ ଦଳର ବିକାଶଙ୍କ ହତ୍ୟାକାରୀ ଗିରଫ ହୋଇନାହାନ୍ତି । ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରାଯାଉ । '
ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଯେ, କୁଳମଣି ବାବୁ ପୂର୍ବରୁ କଂଗ୍ରେସ ଥିଲେ କିଛି ବର୍ଷ ତଳେ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟରେ ନାରୀ ନିର୍ଯ୍ୟାତନ ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ସେହପିର କୁଳମଣି ବରାଳଙ୍କ ପୁଅ ରମାକାନ୍ତ କହିଛନ୍ତି, ଦୁର୍ନୀତିକୁ ବିରୋଧ କରିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ସଂପୂର୍ଣ୍ଣ ଭାବେ ଆଇନ ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କ ଠାରୁ ସାହାସ ପାଇ ଓ ତାଙ୍କ ନିର୍ଦ୍ଦେଶରେ ଏମିତି କାଣ୍ଡ କରାଯାଇଛି। ଦୁଇ ବର୍ଷ ତଳେ ଏଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାରେ ପୁଲିସ୍ କିଛି ପଦକ୍ଷେପ ନେଲା ନାହିଁ। ତେଣୁ ସେମାନଙ୍କ ସାହାସ ବଢ଼ିଲା ଓ ଏଇ ଘଟଣା ଘଟିଲା।












Click it and Unblock the Notifications