ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ୧୫ ଦିନ ଭିତରେ ରିପୋର୍ଟ ମାଗିଲେ ଓଏଚଆରସି
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ।
ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ । ସେପଟେ ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆରସି) ଜେଲ୍ ଡିଜି ଏବଂ ବଲାଙ୍ଗୀର ଏସପିଙ୍କୁ ଘଟଣା ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ନୋଟିସ ଜାରି କରି ଓଏଚଆରସି ତଦନ୍ତ ରିପୋର୍ଟ ଆସନ୍ତା ୧୫ ଦିନ ମଧ୍ୟରେ ଅର୍ଥାତ ୨୦୨୩ ଜାନୁଆରି ୧୦ ତାରିଖ ଭିତରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୋବିନ୍ଦଙ୍କ ସ୍ତ୍ରୀ ସୁଷମା ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, ଅପରାଧୀମାନଙ୍କୁ ନେଇ ଏ ସରକାର। ଯିଏ ଅପରାଧ କରେ ତାକୁ ଏଠି ଶରଣ ମିଳେ। ନବୀନ ବାବୁ ତାକୁ ଶରଣ ଦେଇଥା'ନ୍ତି। ନବୀନ ସରକାରରେ ସବୁ ସମ୍ଭବ। ଏଠି କିଛି ଅସମ୍ଭବ ନୁହେଁ। ଏପରି କ୍ଷେତ୍ରରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ତଦନ୍ତ ହେବା ଦରକାର। ସେ ଆହୁରି କହିଛନ୍ତି, ଇତିଶ୍ରୀ ଓ ବେବିନା କ୍ଷେତ୍ରରେ ଯାହା ଘଟିଥିଲା, ତା'ର ପୁନାରାବୃତ୍ତି ପୁଣି ଓଡ଼ିଶା ମାଟିରେ ହେଲା। ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ସେଇଆ ଘଟିବ। ଅର୍ଚ୍ଚନା ନାଗ ମଧ୍ୟ ଜେଲରେ ଆତ୍ମହତ୍ୟା କରିବେ।
ସେହିପରି ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ନ୍ୟାୟିକ ତଦନ୍ତ କରାଯାଉ। ଗୋବିନ୍ଦ ମରିଛନ୍ତି ନା ତାଙ୍କୁ ମାରି ଦିଆଯାଇଛି, ତାର ତଦନ୍ତ ହେଉ। ଗୋବିନ୍ଦଙ୍କ ମୃତ୍ୟୁ ପରେ ମାମଲା ଖତମ୍ ହୋଇଗଲା। ମାମଲାକୁ ଘୋଡ଼ାଇବାକୁ ଏଭଳି ଚକ୍ରାନ୍ତ କରାଯାଇଛି। ହାଇକୋର୍ଟର ଜଣେ ଜଜ୍ଙ୍କ ଦ୍ୱାରା ତଦନ୍ତ ହେଲେ ସତ ଜଣାପଡ଼ିବ।
କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମମିତା ମେହର ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିଲେ। ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ମୁକ୍ତ କରି ଦେବେ ବୋଲି କଥା ଦେଇଥିଲେ, ହେଲେ ତାଙ୍କ ହାତ ଛାଡ଼ିଦେଲେ। ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ।
ମୋ ସ୍ୱାମୀଙ୍କର ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଗୋବିନ୍ଦଙ୍କ ପତ୍ନୀ । ସେ କହିଛନ୍ତି ଯେ, ମୋ ସ୍ୱାମୀଙ୍କର ହତ୍ୟା କରାଯାଇଛି, ସେ କେବେ ହେଲେ ଆତ୍ମହତ୍ୟା କରି ପାରିବେ ନାହିଁ । ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି । କାଲି ରାତି ୧୧ ଟାରେ ସେ ଘରକୁ ଫୋନ କରି କଥା ହୋଇଥିଲେ । ଜେଲ୍ ଭିତରେ କେମିତି କିଏ ଆତ୍ମହତ୍ୟା କରିପାରିବେ । ଏହି ମାମଲାରେ ଉପଯୁକ୍ତ ତଦନ୍ତ କରାଯାଉ ଏବଂ ମୋ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ । ଏହା ସହ ସେ ସିବିଆଇ ତଦନ୍ତ ହେଉ ବୋଲି ମଧ୍ୟ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଆଜି ସକାଳେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତଦେହ ଆଜି କଣ୍ଟାବାଞ୍ଜି ଜେଲ୍ ପରିସରରୁ ଉଦ୍ଧାର ହୋଇଥିଲା। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୋଲିସ ବାରାକରୁ ସେ ଫେରାର ହୋଇ ଯାଇଥିଲା। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟ ଚାଲାଣ କରାଯାଇଥିଲା।












Click it and Unblock the Notifications