ଅନୁଗୁଳ ନରବଳି ଘଟଣା: ମଙ୍ଗଳା ଠାକୁରାଣୀଙ୍କ ସାଧିକା ସହ ୩ ପୁଅ ଗିରଫ
ଅନୁଗୁଳ: ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୁଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘ । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ ଆଧାରରେ ପୋଲିସ ଟୁସର ଗାଁର ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତିନି ପୁଅକୁ ଗିରଫ କରିଛି ।

ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ଏହା ସ୍ପଷ୍ଟ ହେବ । ମାତ୍ର ଯେଉଁ ପରିସ୍ଥିତିରେ ଘଟଣା ଘଟିଛି ଓ ପାରିପାଶ୍ୱିର୍କ ଚିତ୍ର ନରବଳି ଆଡ଼କୁ ଇସାରା କରୁଛି ।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ କିଆକଟାର ବାସନ୍ତୀ ବିଶ୍ୱାଳ ପୁଅ ସଞ୍ଜିତର ଦେହ ଭଲ ନ ଥିବାରୁ ନିକଟସ୍ଥ ଟୁସର ଗାଁକୁ ଯାଇଥିଲେ । ସେଠାରେ ମା ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ମଙ୍ଗଳା କୋଠିରେ ଅଧିଆ ପଡ଼ିଥିଲେ ମାଆ, ପୁଅ । ହେଲେ ସକାଳ ପାଇବା ବେଳେକୁ ମାଆ ପାଖରେ ପୁଅ ନ ଥିଲା ।
ଅନେକ ଖୋଜାଖୋଜି କରିବା ପରେ ୧୪ ବର୍ଷର ସଞ୍ଜିତଙ୍କୁ ପାଇ ନଥିଲେ ବାସନ୍ତୀ । ଫଳରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ଗତ ୨୮ ତାରିଖ ଦିନ ଆଠମଲ୍ଲିକ ବାରେଣି ଜଙ୍ଗଲରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଦେହରୁ ହାତ ଗୋଡ଼ ଅଲଗା ହୋଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ମୃତଦେହ ଉଦ୍ଧାର କରିଥିଲା ।
ଫଳରେ ନାବାଳକ ଜଣଙ୍କୁ ବଳି ଦିଆ ଯାଇଥିବା ଲୋକେ ସନ୍ଦେହ କରିବା ସହ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ କରିଥିବା ଉତ୍ତ୍ୟକ୍ତ ଲୋକ ପୋଲିସ୍ ଭ୍ୟାନ୍ ଜାଳି ଦେଇଛନ୍ତି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇବା ସହ ତନାଘନା ଆରମ୍ଭ କରିଥିଲା ପୋଲିସ ।












Click it and Unblock the Notifications