କିଏ ଦେଲା କଟକବାସୀଙ୍କ ବିଶ୍ୱାସରେ ବିଷ ? ବଜାରରେ ବୁଲୁଛି ନକଲି ହଳଦୀ ଓ ଘିଅ
ଆଜି କଟକ ଭଦିମୂଳ ଅଞ୍ଚଳରୁ ପୁଲିସ ନକଲି ହଳଦୀ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି ।
କଟକ : ନାମିଦାମୀ କମ୍ପାନୀର ଲୋଗୋରେ ବିକ୍ରି ହେଉଛି ନକଲି ସାମଗ୍ରୀ । ତା ପୁଣି କଟକରେ । ଗତ ଦୁଇ ଦିନ ଧରି କଟକ ପୁଲିସର ଧରପଗଡ଼ ପରେ ଏହି ନକଲି ସାମଗ୍ରୀର ପର୍ଦ୍ଦାଫାସ ହୋଇଛି । ଆଜି କଟକ ଭଦିମୂଳ ଅଞ୍ଚଳରୁ ପୁଲିସ ନକଲି ହଳଦୀ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି । ଏଥିରେ ବହୁ ପରିମାଣର ହଳଦୀ ସହ ନାମିଦାମୀ କମ୍ପାନୀର ଲୋଗୋ ଥିବା ଜରି ମଧ୍ୟ ଜବତ କରିଛି । ଏଥିସହ ହଳଦୀ ପ୍ରସ୍ତୁତ ହେଉଥିବା ମେସିନ୍ ମଧ୍ୟ ଜବତ କରିଛି ପୁଲିସ । କାରଖାନାର ମାଲିକକୁ ଅଟକ ରଖିଛି ପୁଲିସ । କଟକ ଭଳି ସହରରେ ଗଳିକନ୍ଦିରେ ନକଲି ସାମଗ୍ରୀ ବିକ୍ରି ହେବା ନେଇ ଏବେ ଚିନ୍ତା ବଢିଯାଇଛି ।

ଗତକାଲି ଜଗତପୁର ଅଞ୍ଚଳରୁ ପୁଲିସ ନକଲି ଘିଅ କାରଖାନା ଉପରେ ଚଢାଉ କରିଥିଲା । ଏହି ଘିଅ କାରଖାନାରେ ନାମିଦାମୀ କମ୍ପାନୀ ଲୋଗୋ ବ୍ୟବହାର କରାଯାଇ ବଜାରରେ ବିକ୍ରି କରାଯାଉଥିଲା । ତେବେ ଏହି ନକଲି ସାମଗ୍ରୀ ଗୁଡିକ କେଉଁ ଦୋକାନକୁ ଯାଉଥିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । କଟକବାସୀଙ୍କ ବିଶ୍ୱାରେ ବିଷ ଦେଇ ଦୀର୍ଘ ଦିନ ଧରି ଏହି ଅଭିଯୁକ୍ତମାନେ ନକଲି ସାମଗ୍ରୀ ପ୍ରସ୍ତୁତ କରି ଆସୁଥିଲେ । ଏଠାରେ କହି ରଖୁଛୁ କି କିଛି ଦିନ ତଳେ କଟକ ମାଲଗୋଦାମ ଅଞ୍ଚଳରେ ନକଲି ମସଲା ଓ ଘିଅ ଠାବ କରାଯାଇଥିଲା । ଅପରପକ୍ଷରେ କଟକ ସହରରେ ନିୟମିତ ବ୍ୟବଧାନରେ ନକଲି ସାମଗ୍ରୀ ଜବତ ହେଉଥିବାରୁ ଏହାକୁ ନେଇ ଅନେକ ସନ୍ଦେହ ଦେଖା ଦେଇଛି । କଟକ ସହର ସାରା ନକଲି ସାମଗ୍ରୀ ରାକେଟ୍ ଚେର ବିସ୍ତାର କରିଥିବା କୁହାଯାଉଛି ।












Click it and Unblock the Notifications