ପୁରୀ ଓ ବିରମିତ୍ରପୁର ହାଜତ ମୃତ୍ୟୁ ଘଟଣା : ହାଇକୋର୍ଟ ଓ ଓଏଚଆରସିରେ ମାମଲା
ପୁରୀ ପୁଲିସ ହେପାଜତରେ ଯୁବକଙ୍କର ମୃତ୍ୟୁ ଘଟଣାରେ ଆଜି ହାଇକୋର୍ଟରେ ମାମଲା ହୋଇଛି ।
ଭୁବନେଶ୍ୱର : ପୁରୀ ପୁଲିସ ହେପାଜତରେ ଯୁବକଙ୍କର ମୃତ୍ୟୁ ଘଟଣାରେ ଆଜି ହାଇକୋର୍ଟରେ ମାମଲା ହୋଇଛି । ହାଇକୋର୍ଟରେ ଏନେଇ ଜନସ୍ୱାର୍ଥ ମାମଲା କରିଛନ୍ତି ଶରତ ରାୟଗୁରୁ । କୋର୍ଟଙ୍କ ତତ୍ତ୍ୱାବଧାନରେ ଉକ୍ତ ଘଟଣାର ତଦନ୍ତ କରିବାକୁ ଏଥିରେ ଅପିଲ କରାଯାଇଛି । ସେହିପରି ମୃତ ପରିବାରକୁ କ୍ଷତିପୂରଣ ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାୟର ହୋଇଥିବା ମାମଲାରେ ଅପିଲ୍ କରାଯାଇଛି । ହାଇକୋର୍ଟ ମାମଲାକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ସର୍ବିଶେଷ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ଏହି ମାମଲା ଉପରେ ଶୁଣାଣି ଅଛି ।
ଅପରପକ୍ଷରେ ପୁରୀ ଓ ବିରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି)ଙ୍କ ନିକଟରେ ଦୁଇଟି ପୃଥକ ମାମଲା ହୋଇଛି । ସାମାଜିକ କର୍ମୀ ପ୍ରବୀର ଦାସ ଏହି ମାମଲା କରିଛନ୍ତି । ଓଏଚଆରସି ନିଜ ସଂସ୍ଥା ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ଏଥିସହ ଉଭୟ ଘଟଣାରେ ମୃତକଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ସଂପୃକ୍ତ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଥିରେ କୁହାଯାଇଛି ।












Click it and Unblock the Notifications