IIFL ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ୍ : ମନ୍ଦିରରେ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ, ବ୍ୟାଙ୍କର ମାଳମାଳ ଅବ୍ୟବସ୍ଥା
ନୟାସଡକ ସ୍ଥିତ IIFL ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ୍ ହୋଇଛି ।
କଟକ : ନୟାସଡକ ସ୍ଥିତ IIFL ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଏହି ଡକାୟତି ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଡକାୟତଙ୍କୁ କାବୁ କରିଛି କମିଶନରେଟ୍ ପୁଲିସ । ଏଥିସହ ଡକାୟତିରେ ବ୍ୟବହୃତ ହୋଇଥିବା ଦୁଇଟି ବାଇକକୁ ଜବତ କରିଛି ପୁଲିସ । ଡକାୟତ ସମ୍ପତ୍ତି ଉଦ୍ଧାର ପ୍ରକ୍ରିୟା ଚାଲୁ ରହିଥିବା କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ବ୍ୟାଙ୍କରେ ଅବ୍ୟବସ୍ଥା ମାଳମାଳ
- ବ୍ୟାଙ୍କର ବନ୍ଧୁକଧାରୀ ସୁରକ୍ଷାକର୍ମୀ 15 ଦିନ ହେଲା ଛୁଟିରେ ଥିଲେ ।
- ସିସିଟିଭି କାମ କରୁନଥିଲା । ସିସିଟିଭି କାମ କରୁଥିଲେ IIFL ର ମୁମ୍ବାଇ ହେଡ୍ ଅଫିସ୍ ବ୍ୟାଙ୍କର ସମସ୍ତ କାର୍ଯ୍ୟ ଦେଖି ପାରିଥାନ୍ତା
- ଆଲାରାମ୍ ଖରାପ ଥିଲା ।
- ଡିଜିଟାଲ୍ ଲକର୍ ଜାନୁଆରୀ 20ରୁ ଖରାପ ଥିଲା । ତାକୁ କେହି ଭାଙ୍ଗି ଦେଇଥିଲା ।
ଅଡିଟ୍ ଧରା ପକାଇଦେଲା, ମନ୍ଦିରରେ ହେଲା ଡକାୟତି ଯୋଜନା
ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ଏହି ଡକାୟତି ଘଟଣାରେ IIFLର ଜଣେ କର୍ମଚାରୀ ସଂପୃକ୍ତ ଅଛନ୍ତି । ତାଙ୍କର ନାମ ଲାଲା ଅମ୍ରିତ ରାୟ । ଏହି ଡକାୟତିରେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା ବାବୁ ଓରଫ ରଞ୍ଜନ ରାୟ । ତା' ଘର ବିଶ୍ୱନାଥପୁର ହୋଇଥିବା ବେଳେ ଲାଲା ଓ ବାବୁ ଦୁଇ ଭାଇ । ଯେଉଁ ଚାରି ଜଣ ବାଇକରେ ଆସି ଡକାୟତି କରିଥିଲେ ସେମାନେ ହେଲେ ରାଜକିଶୋର ସାହୁ, ପ୍ରକାଶ ସାହୁ, ପ୍ରଦୀପ୍ତ ବେହେରା ଓ ସନ୍ତୋଷ ଭୋଇ । ଏହି ସମସ୍ତଙ୍କୁ ପୁଲିସ ଅଟକ ରଖିଛି । ସେମାନଙ୍କ ଠାରୁ ପଲସର ଓ ହୋଣ୍ଡା ଡ୍ରିମ୍ ୟୋଗା ବାଇକ୍ ଜବତ ହୋଇଛି । ଏବେ ସୁଦ୍ଧା 2 କେଜି ସୁନା ପୁଲିସ ସେମାନଙ୍କ ଠାରୁ ଜବତ କରିସାରିଛି । ଲାଲା ଅମ୍ରିତ ରାୟ ଓ ତା' ଭାଇ ରଞ୍ଜନ ରାୟ ନାଁରେ ଆଗରୁ ମଙ୍ଗଳାବାଗ୍ ଥାନାରେ ମାମଲା ରହିଛି ।

ମୁଥୁଟ୍ ଫାଇନାନ୍ସରେ ରଞ୍ଜନ କାମ କରୁଥିବା ସମୟରେ ଗୋଟିଏ କେଜି ସୁନା ହେରଫେର୍ ମାମଲାରେ ଏହିମାନଙ୍କରେ ମଙ୍ଗଳାବାଗ୍ ଥାନାରେ ଅଭିଯୋଗ ହୋଇଥିଲା । ଏଥିରେ ଲାଲା ରଞ୍ଜନ ରାୟ ଗିରଫ ହୋଇଥିଲା । ହେଲେ ଲାଲା ଅମ୍ରିତ ରାୟ ହାଇକୋର୍ଟରୁ ଆଗୁଆ ଜାମିନ ପାଇଯାଇଥିଲା । ପରବର୍ତ୍ତି ସମୟରେ ଲାଲା ଅମ୍ରିତ ରାୟ ପାଞ୍ଚ ବର୍ଷ ହେଲା IIFLରେ କାମ କରି ଆସୁଥିଲା । ବିଗତ ଚାରି ବର୍ଷ ହେଲା ଲାଲା ଅମ୍ରିତ ରାୟ IIFLରେ ନାନାଦି ହେରଫେର୍ କରି ଆସୁଥିଲା । ହେଲେ ପ୍ରତ୍ୟେକ ଥର ଅଡିଟରଙ୍କ ପାଖରେ ଧରାଧରି କରି ଖସି ଯାଉଥିଲା । ତେବେ ନୂଆ ଅଡିଟରଙ୍କ ପାଖରେ ଧରା ପଡିଯାଇଥିଲା ଲାଲା ଅମ୍ରିତ ରାୟ । ସେଠାରୁ ବଞ୍ଚିବା ପାଇଁ ସେ ତା' ଭାଇ ରଞ୍ଜନର ସହାୟତା ନେଇଥିଲା । ଏହାକୁ ନେଇ ମନ୍ଦିରରେ ବ୍ୟାଙ୍କ ଡକାୟତିର ଯୋଜନା ପ୍ରସ୍ତୁତ ହୋଇଥିଲା । ଅପରପକ୍ଷରେ ବ୍ୟାଙ୍କରେ କେତେ ସୁନା ଏହିମାନେ ଲୁଟ୍ କରିଛନ୍ତି ତାହାକୁ ନେଇ ପୁଲିସ ତାର ତଦନ୍ତ ଜାରି ରଖିଥିବା କହିଛି । ଅନେକ ବେନାମି ଆକାଉଣ୍ଟ ଜରିଆରେ ସୁନା ବ୍ୟାଙ୍କରୁ ଉଠାଯାଇଥିବା ପୁଲିସ ସନ୍ଦେହ କରୁଛି । ସେହିପରି ଏହି ବ୍ୟାଙ୍କରୁ ସୁନା ଉଠାଯାଇ ମନିପୁରମ୍ ଗୋଲ୍ଡ ଲୋନରେ ରଖାଯାଇଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି । ଏହାକୁ ଫୋରେନ୍ସିଂ ଜରିଆରେ ପୁଲିସ ଯାଞ୍ଚ କରିବା ଆରମ୍ଭ କରିଛି ।
ଅପରେସନ୍ IIFL
IIFL ବ୍ୟାଙ୍କ ଡକାୟତି ଘଟଣାରେ କମିଶନରେଟ୍ ପୁଲିସର ଗୋଟିଏ ସ୍ୱତନ୍ତ୍ର ଟିମ୍ ଏଥିପାଇଁ ଗଠନ କରାଯାଇଥିଲା । ଯେଉଁଥିରେ ପାଞ୍ଚରୁ ଅଧିକ ଆଇଆଇସି, ଏସିପିଙ୍କ ସହ ଭୁବନେଶ୍ୱରର ସ୍ପେଶାଲ ସ୍କ୍ୱାର୍ଡ ଓ ହାଇଦ୍ରାବାଦରୁ ଜଣେ ଏସଆଇ ଆସିଥିଲେ । ହାଇଦ୍ରାବାଦ ପୁଲିସରୁ ଆସିଥିବା ସବ୍ ଇନସ୍ପେକ୍ଟର ଶ୍ରୀକାନ୍ତ ପୁଲିସକୁ ବୈଷୟିକ ସହାୟତା ଦେବା ପାଇଁ ଏଠାକୁ ଆସିଥିଲେ । ଏହି ବ୍ୟାଙ୍କ ଡକାୟତି ଘଟଣା ପରେ କଟକ ସହରରେ 15 ହଜାର ସିସିଟିଭି ଲଗାଯିବ । ଆସନ୍ତା 6 ମାସ ମଧ୍ୟରେ ଏହି ସିସିସଟିଭି ଲଗା କାର୍ଯ୍ୟ ସରିବ ବୋଲି କହିଛନ୍ତି ପୁଲିସ କମିଶନର । ସୂଚନାଥାଉକି, ହାଇଦ୍ରାବାଦ୍ ସହରରେ 50 ହଜାର ସିସିଟିଭି ଲାଗିଛି ।












Click it and Unblock the Notifications