ଡ୍ରମରେ ମାଆକୁ କବର ଦେଲା ପୁଅ
ଚେନ୍ନାଇ: ଚେନ୍ନାଇର ନୀଳଗଂରାୟ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଆର ମୃତ୍ୟୁ ପରେ କିଛି ବାଟ ନପାଇ ପୁଅ ମୃତଦେହକୁ ଏକ ପ୍ଲାଷ୍ଟକ ଡ୍ରମରେ ଭରି ଘର ଭିତରେ କବର ଦେଇଛି। ମୃତା ହେଉଛନ୍ତି 86 ବର୍ଷୀୟା ଶେନବାଗମ । ତାଙ୍କର ଦୁଇ ପୁଅଙ୍କ ନାମ ସୁରେଶ ଏବଂ ବାବୁ । ତେବେ ବୃଦ୍ଧା ଜଣକ ଅନେକ ଦିନ ହେବ ସୁରେଶଙ୍କ ସହ ରହିଆସୁଥିଲେ । ସୁରେଶ ଜଣେ ମାନସିକ ରୋଗୀ । ସେଥିପାଇଁ ତାଙ୍କ ପତ୍ନୀ ଏବଂ ପିଲା ତାଙ୍କ ପାଖରେ ରୁହନ୍ତି ନାହିଁ । କିନ୍ତୁ ଶେନବାଗମ ପୁଅ ପାଖେ ରହିଆସୁଥିଲେ ।

କିନ୍ତୁ ଦୁଇ ସସ୍ତାହ ହେବ ସୁରେଶ ଘରୁ ବାହାରକୁ ବାହାରୁ ନଥିବା ପ୍ରଥମେ ପଡୋଶୀଙ୍କ ନଜରରେ ଆସିଥିଲା । ଫଳରେ ସେମାନେ ସୁରେଶଙ୍କ ଭାଇକୁ ଖବର ଦେଇଥିଲେ । ବାବୁ ଆସିବା କ୍ଷଣି ସୁରେଶ ଘର ବାହାରକୁ ଆସିଥିଲେ । ବାବୁଙ୍କୁ ଘର ଭିତରକୁ ଯିବାକୁ ରୋକିଥିଲେ । କିନ୍ତୁ ବାବୁ ଜୋର କରି ଘରେ ପଶିବା ପରେ ମାଆକୁ ଦେଖିବାକୁ ପାଇନଥିଲେ । ସୁରେଶଙ୍କୁ ବହୁତ ପଚରା ଉଚରା ପରେ ସେ ମାଆର ମୃତ୍ୟୁ ନେଇ ସୂଚନା ଦେଇଥିଲେ । ତାଙ୍କର ମୃତଦେହ ଡ୍ରମରେ ଭରି ପ୍ଲାଷ୍ଟର କରିଦେଇଥିବା ମାନିଥିଲେ ।
ଫଳରେ ବାବୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଶେନବାଗମଙ୍କ ମୃତ୍ୟୁ ଦୁଇ ସପ୍ତାହ ପୂର୍ବରୁ ହୋଇଥିବା ସନ୍ଦେହ କରାଯାଉଛି।