ଭରତପୁର ଥାନା ମାମଲା : ଆସିଲା ପଲିଗ୍ରାଫ୍ ପରୀକ୍ଷା ରିପୋର୍ଟ
ଭରତପୁର ଥାନା ମାମଲାରେ ସମ୍ପୃକ୍ତ ଥାନାଧିକାରୀ ଓ ଅନ୍ୟମାନଙ୍କ ମିଛଧରା ପରୀକ୍ଷା ରିପୋର୍ଟ (ପଲିଗ୍ରାଫ୍ ପରୀକ୍ଷା ରିପୋର୍ଟ), ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ତଦନ୍ତକାରୀ ଦଳ ଉକ୍ତ ରିପୋର୍ଟକୁ ସମୀକ୍ଷା କରୁଛନ୍ତି । ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସ୍ଏଲରୁ ଏହି ରିପୋର୍ଟ ଆସିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା । ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍ ପରୀକ୍ଷା ହୋଇଥିଲା । ସମୀକ୍ଷା ପରେ ଏହି ରିପୋର୍ଟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ରଖିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ସେନା ଅଧିକାରୀ ଓ ପୀଡ଼ିତାଙ୍କ ମୋବାଇଲର ଫୋନ୍ର ଏସ୍ଏଫ୍ଏସଏଲ୍ରୁ ରିପୋର୍ଟ ଆସିନାହିଁ । ଉଭୟ ରିପୋର୍ଟକୁ ଅନୁଧ୍ୟାନ ଓ ଯାଞ୍ଚ କରି ମାମଲା ଉପରୁ ଖୁବଶୀଘ୍ର ପରଦା ହଟାଇବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଘରକୁ ଫେରିବା ବେଳେ କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହାକୁ ନେଇ ଉଭୟ ଭରତପୁର ଥାନାରେ ପହଞ୍ଚି ଥିଲେ । ସେଠାରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣ ନେଇ ପୁଲିସ ମଧ୍ୟ ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାମରେ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରିବା ଲାଗି ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଜାରି ରଖିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମାମଲାର ନ୍ୟାୟିକ ତଦନ୍ତ ମଧ୍ୟ ଚାଲିଛି ।












Click it and Unblock the Notifications