'ପ୍ରତିଦିନ ମରି ମରି ବଞ୍ଚିଛି, ବିବନକୁ ଫାଶି ହେଉ': ଅଞ୍ଜନା କହିଲେ, ମୁଁ ନ୍ୟାୟ ପାଇବା ପାଇଁ ବଞ୍ଚିଥିଲି
22 ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ।
ଭୁବନେଶ୍ୱର: 22 ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ। ଏନେଇ ପ୍ରେସମିଟ୍ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ତେବେ ବିବନ ବିଶ୍ୱାଳ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର ଆଞ୍ଚଳିକ ଗଣମାଧ୍ୟମ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍ ଓ ତାଙ୍କ ଟିମ୍ ମୋତେ ନ୍ୟାୟ ଦେଲେ। ବିବନ ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ ଥିଲା। ଏଇ ୨୨ ବର୍ଷ ଭିତରେ ମୁଁ ବହୁତ ସଂଘର୍ଷ କରିଛି। ମୋ ଘରକୁ ପଥ ମାଡ଼ କରିବା ସହ ମୋତେ ୧୦-୧୫ ଥର ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ମୋତେ ମୋ ଘରେ ରଖେଇ ଦେଲେ ନାହିଁ, ଫଳରେ ମୁଁ ଆସି ମୋ ମା'ଙ୍କ ପାଖରେ ରହୁଛି।'

ସେଇ ସମୟରେ ବିବନ ବିଶ୍ୱାଳ ଗିରଫ ନହେବା ଓ ବାରମ୍ବାର ତାଙ୍କୁ ଏଭଳି ଧମକ ମିଳିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି, 'ଏସବୁ ଘଟଣାରେ କଂଗ୍ରେସ ଦଳର ପ୍ରଛନ୍ନ ହାତ ତା' ପଛରେ ରହିଥିଲା। ବିବନକୁ ଫାଶି ଦିଆଯାଉ।' ସେ ଆହୁରି କହିଛନ୍ତି, 'ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ। ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର। ଆମ ସିଷ୍ଟମ ଯାହା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି।'
ଉଲ୍ଲେଖଥାଉ କି, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ ଯୌନ ପିପାସୁ। ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଔରଫ ବିବନ ଫେରାର ହୋଇଯାଇଥିଲା ।
ଆଜି ଏକ ପ୍ରେସ କନଫରେନ୍ସ କରି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ। ପରିଚୟ ପତ୍ର,ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ କରିଥିଲା।












Click it and Unblock the Notifications