ପାଇପ ଚୋରି କରି ଗିରଫ ହେଲେ ଟୁଙ୍ଗୁରୁ ଭୋଳଙ୍କ ସମେତ ୧୧ ଗିରଫ
ପାଇପ ଚୋରି କରି ଗିରଫ ହେଲେ ଟୁଙ୍ଗୁରୁ ଭୋଳ । RWSSର ପାଣି ପାଇପ ଚୋରି କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଏକ ବଡ଼ ରାକେଟକୁ ଧରିଛି ଭୁବନେଶ୍ୱର ପୁଲିସ୍ । ଆଉ ସେଥିରେ ଅଛନ୍ତି ଟୁଙ୍ଗୁରୁ ଭୋଳ ।
ପ୍ରାୟ ଦୁଇ ବର୍ଷ ତଳେ ସୋଶାଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲେ ଟଙ୍ଗୁରୁ । ଆଉ ତାଙ୍କ ନାମରେ ଅନେକ ଗୀତ ମଧ୍ୟ ଆସିଥିଲା । ଘରେ ଘରେ ତାଙ୍କ ପ୍ରେମ କାହାଣୀ ଜାଣିଥିଲେ । ହେଲେ ବର୍ତ୍ତମାନ୍ ଗିରଫ ହୋଇଛନ୍ତି ଟୁଙ୍ଗୁରୁ ।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଏହି ରାକେଟ ଯେଉଁ ସବୁ ସ୍ଥାନରେ RWSSର ପାଣି ପାଇପ ସଂଯୋଗ କାର୍ଯ୍ୟ ଚାଲିଥାଏ, ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରି ପାଇପଗୁଡ଼ିକୁ ଚୋରି କରି ଟ୍ରକ୍ ଯୋଗେ ବାହାର ରାଜ୍ୟକୁ ନେଇ ବିକ୍ରି କରି ଦେଉଥିଲେ ।

କେବଳ ଭୁବନେଶ୍ୱର ନୁହେଁ, ଏମାନେ ରାୟଗଡ଼ା, କନ୍ଧମାଳ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଆଦି ଜିଲ୍ଲାରେ ସକ୍ରିୟ ଥିଲେ। ଏସବୁ ସ୍ଥାନରେ ଏମାନଙ୍କ ନାଁରେ ୮ଟି ମାମଲା ରହିଛି । ଏହି ରାକେଟର ୧୧ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ, ଯିଏ ସେହିପରି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲ ।
ପାଇପ୍ ଚୋରି କରିବା ପରେ ଏମାନେ ନକଲି କାଗଜପତ୍ର ତିଆରି କରି ତାହାକୁ ଚାଲାଣ ତିଆରି କରୁଥିଲେ । ରାଜ୍ୟରୁ ଆସୁଥିବା ଯେକୌଣସି ଟ୍ରକ୍ରେ ସେଗୁଡ଼ିକୁ ଲୋଡ୍ କରି ପଠାଇ ଦେଉଥିଲେ। ରାୟପୁର ଓ ଭିଲାଇ ସମେତ ଅନ୍ୟାନ୍ୟ ସ୍ଥାନକୁ ଏମାନେ ଚୋରା ପାଇପ ପଠାଉଥିଲେ,ଯେଉଁଠାରେ ସେଗୁଡ଼ିକୁ ମେଲ୍ଟ କରି ଦିଆଯାଉଥିଲା।
ସ୍କ୍ରାପ୍ ଡିଲରଙ୍କ ଜରିଆରେ ସେମାନେ ଏହି କାମ କରି ବେଶ୍ ଭଲ ପଇସା ପାଉଥିଲେ। ଏମାନେ ୧୦୦୦ରୁ ଅଧିକ ପାଇପ ଚୋରି କରିଛନ୍ତି,ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।
ଡିସିପି କହିଛନ୍ତି ଯେ ଏହି ରାକେଟର ଆହୁରି ୪ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ବାହାର ରାଜ୍ୟରେ ଥିବା ଏମାନଙ୍କର ସହଯୋଗୀଙ୍କୁ ଧରିବାକୁ ପଦକ୍ଷେପ ନିଆଯିବ।












Click it and Unblock the Notifications