Union Budget 2011 : ରେଳ ଭିତ୍ତିଭୂମିରେ ଓଡ଼ିଶାର ଦାବି ଥିଲା 7200 କୋଟି, ମିଳିଲା 5,528 କୋଟି
ଏହି ଆର୍ଥିକ ବର୍ଷରେ ରେଳଭିତ୍ତିଭୂମି ବିକାଶ ଏବଂ ଏହାର ସୁଦୃଢିକରଣ ପାଇଁ ଓଡ଼ିଶାକୁ ମିଳିଛି 5ହଜାର 528 କୋଟି ଟଙ୍କା । କିନ୍ତୁ ଓଡ଼ିଶାର ଦାବି ଥିଲା 7ହଜାର 200 କୋଟି ଟଙ୍କା ।
ଭୁବନେଶ୍ୱର : ଆର୍ଥିକ ବର୍ଷ 2021-22 ପାଇଁ କେନ୍ଦ୍ର ସରକାରଙ୍କ ୟୁନିୟନ୍ ବଜେଟ୍ ଫେବୃଆରୀ 1 ତାରିଖରେ ଉପସ୍ଥାପିତ ହୋଇଛି । ଏହି ଆର୍ଥିକ ବର୍ଷରେ ରେଳଭିତ୍ତିଭୂମି ବିକାଶ ଏବଂ ଏହାର ସୁଦୃଢିକରଣ ପାଇଁ ଓଡ଼ିଶାକୁ ମିଳିଛି 5ହଜାର 528 କୋଟି ଟଙ୍କା । କିନ୍ତୁ ଓଡ଼ିଶାର ଦାବି ଥିଲା 7ହଜାର 200 କୋଟି ଟଙ୍କା ।
କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ରେଳ ଭିତ୍ତିଭୂମି ପାଇଁ ଓଡ଼ିଶାକୁ ମିଳିଥିବା ବଜେଟ୍ ନେଇ ଏକ ଟ୍ୱିଟ୍ କରି ଲେଖିଛନ୍ତି 2021-22 ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ 5ହଜାର 528 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଯାହାକି 2014 କୁ 2019ରେ ଓଡ଼ିଶାକୁ ମିଳିଥିବା ବଜେଟର 560 ପ୍ରତିଶତ ଅଧିକ । 2014-19ରେ ଓଡ଼ିଶାକୁ ମୋଟ 839କୋଟି ଟଙ୍କା ରେଳ ବଜେଟ୍ ମିଳିଥିଲା । ସେ ଏହି ଟ୍ୱିଟରେ ଆହୁରି ମଧ୍ୟ ଲେଖିଛନ୍ତି, ଚଳିତ ବଜେଟରେ ଓଡ଼ିଶାରେ ନୂଆ ରେଳପଥ ନିର୍ମାଣ, ଦୋହରୀକରକଣ, ଗେଜ୍ ପରିବର୍ତ୍ତନ ଆଦି 39ଟି ନୂଆ ପ୍ରକଳ୍ପ ରହିଛି । ଯେଉଁଥିପାଇଁ ଖର୍ଚ୍ଚ ହେବ ମୋଟ 61ହଜାର 949 କୋଟି ଟଙ୍କା, ଯେଉଁଥରେ 4ହଜାର 877 କିଲୋମିଟର ରେଳପଥ ନିର୍ମାଣର କାର୍ଯ୍ୟକ୍ରମ ରହିଛି ।

ପୂର୍ବତଟ ରେଳପଥ ପକ୍ଷରୁ ବଜେଟ୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର (289 କିମି) ପାଇଁ 500 କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ରୋଡ୍ (98.7 କିମି) ପାଇଁ 400 କୋଟି ଟଙ୍କା, ହରିଦାସପୁର-ପାରାଦୀପ (82 କିମି) ପାଇଁ 100 କୋଟି ଟଙ୍କା, ତାଳଚେର-ବିମଳାଗଡ଼ (154 କିମି) 10 କୋଟି ଟଙ୍କା, ଜୟପୁର-ମାଲକାନାଗିରି (130 କିମି) ପାଇଁ 28 କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (38 କିମି) 15 କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି ।
ଏହା ବ୍ୟତୀତ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ 200 କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ 28 କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି । ତେବେ ଆସନ୍ତାକାଲି ଏନେଇ ପୂର୍ବତଟ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦିଆଯିବ ବୋଲି ସୂଚନା ରହିଛି ।












Click it and Unblock the Notifications