କମିଲା କ୍ରୀଡ଼ା ବଜେଟ୍, ଖେଲୋ ଇଣ୍ଡିଆ ବଜେଟ୍ ହେଲା 657 କୋଟି
ଗତବର୍ଷ ଅପେକ୍ଷା କ୍ରୀଡ଼ା ବଜେଟରେ ହ୍ରାସ କରାଯାଇଛି । ଚଳିତ ବର୍ଷ ବଜେଟରେ କ୍ରୀଡ଼ା ପାଇଁ ମୋଟ 2596କୋଟି 14ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।
ନୂଆଦିଲ୍ଲୀ : ସୋମବାର ସଂସଦରେ ଉପସ୍ଥାପିତ ହୋଇଛି 2021-22 ଆର୍ଥିକ ବର୍ଷ ପାଇଁ ୟୁନିଅନ୍ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି କରୋନା ମହାମାରୀ ପରେ ଦେଶର ଅର୍ଥନୀତି ଧିରେ ଧିରେ ସୁଦୃଢ ହେଉଛି । ଏହି ବଜେଟ୍ ଦେଶର ଅର୍ଥନୀତିକୁ ସଳଖ କରିବା ସହ ଦେଶର ପ୍ରଗତିରେ ସହୟକ ବୋଲି କହିଛନ୍ତି ।
ବଜେଟରେ କେନ୍ଦ୍ର ସରକାର ସବୁ ଦିଗକୁ ସନ୍ତୁଳିତ କରିବାର ପ୍ରୟାସ କରି ବିଭିନ୍ନ ବିଭାଗରେ କାଟଛାଟ୍ କରିଛନ୍ତି । ଗତବର୍ଷ ଅପେକ୍ଷା କ୍ରୀଡ଼ା ବଜେଟରେ ହ୍ରାସ କରାଯାଇଛି । ଚଳିତ ବର୍ଷ ବଜେଟରେ କ୍ରୀଡ଼ା ପାଇଁ ମୋଟ 2596କୋଟି 14ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଯାହାକି ଗତବର୍ଷ ତୁଳନାରେ 230କୋଟି 78ଲକ୍ଷ ଟଙ୍କା କମ୍ ରହିଛି । ଗତବର୍ଷ ବଜେଟରେ କ୍ରୀଡ଼ା ପାଇଁ 2826 କୋଟି 96ଲକ୍ଷ ଟଙ୍କା ରହିଥିଲା ।

ସୂଚନାନୁସାରେ, 2020-21 ବଜେଟରେ ପ୍ରଥମେ 2826 କୋଟି 96ଲକ୍ଷ ଟଙ୍କା କ୍ରୀଡ଼ା ପାଇଁ ଘୋଷଣା ହୋଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ସମସ୍ତ ଇଭେଣ୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ରହିବାରୁ କେନ୍ଦ୍ର ସରକାର ଏହି ବଜେଟକୁ ସଂଶୋଧନ କରି 1800 କୋଟି 15ଲକ୍ଷ ଟଙ୍କା କରିଥିଲେ । ଏହିତୁଳନାରେ ଚଳିତ ବର୍ଷ ପୂର୍ବାପେକ୍ଷା 795.99 କୋଟି ଟଙ୍କା ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି ।
ଗତ ବଜେଟରେ ଖେଲୋ ଇଣ୍ଡିଆ ଯୋଜନା ପାଇଁ 890.42 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏଥର ଏହାକୁ ହ୍ରାସ କରାଯାଇଛି 657.71 କୋଟି ଟଙ୍କା କରାଯାଇଛି । ଭାରତୀୟ କ୍ରୀଡ଼ା ପାଧିକରଣ (ସାଇ) ପାଇଁ ଗତ ବର୍ଷ 500 କୋଟି ଟଙ୍କା ଥିଲା । ଚଳିତ ବର୍ଷ କିନ୍ତୁ ଏହାକୁ 660.41 କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି । ଜାତୀୟ କ୍ରୀଡ଼ା ଫେଡେରେସନ୍ 280 କୋଟି ଟଙ୍କା ବଜେଟରେ ଆବଣ୍ଟନ କରାଯାଇଛି ।












Click it and Unblock the Notifications