ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଖୁଚୁରା ମୁଦ୍ରାସ୍ଫୀତି, ମେ ମାସରେ ରହିଛି 4.25%

ନୂଆଦିଲ୍ଲୀ : ଖୁଚୁରା ସାମଗ୍ରୀ କ୍ରୟ ଉପରେ ମୁଦ୍ରାସ୍ଫୀତି ବିଷୟରେ ପୁଣି ଥରେ ଆଶ୍ୱସ୍ତିକର ଖବର ଆସିଛି । ଚଳିତ ବର୍ଷ ମେ ମାସରେ ପୁଣି ଥରେ ମୁଦ୍ରାସ୍ଫୀତି ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।
ସୋମବାର (ଜୁନ୍ 12) ପ୍ରକାଶିତ ଏକ ବିବୃତ୍ତିରେ କେନ୍ଦ୍ର କହିଛି ଯେ ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ 4.70 ପ୍ରତିଶତରୁ 4.25 ପ୍ରତିଶତକୁ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଆରାମର ଖବର ।
ଲଗାତାର ଚତୁର୍ଥ ମାସ ପାଇଁ ଖୁଚୁରା ଦରଦାମ୍ ହ୍ରାସ ପାଇଛି । ଗତ ବର୍ଷ ମେ ମାସରେ ଖୁଚୁରା ମୁଦ୍ରାସ୍ପତି 7.04 % ଥିଲା । ଖୁଚୁରା ସହିତ ଖାଦ୍ୟ ମହଙ୍ଗା ଦର ମଧ୍ୟ 3 ପ୍ରତିଶତ ତଳକୁ ଖସି ଆସିଛି । ମେ ମାସରେ ଖାଦ୍ୟ ମହଙ୍ଗା ଦର 2.91 % କୁ ଖସି ଆସିଛି ଯାହା ଅପ୍ରେଲ ମାସରେ 3.84 % ରହିଥିଲା ।
ଅପ୍ରେଲରେ ଖୁଚୁରା ମୁଦ୍ରାସ୍ଫୀତି ହାର 4.70 ପ୍ରତିଶତ ଥିଲା, ଯାହା ବର୍ତ୍ତମାନ 4.25 ପ୍ରତିଶତକୁ ଖସି ଆସିଛି । ଅନ୍ୟପକ୍ଷରେ, ମେ ମାସରେ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ମଧ୍ୟ ହ୍ରାସ ପାଇଛି । ମେ ମାସ ପାଇଁ ମୁଦ୍ରାସ୍ଫୀତି ଗତ 25 ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।
ତେବେ ଏହି ସମୟରେ ଅଏଲ ଏବଂ ଫ୍ୟାଟ୍ସ ଦରଦାମ୍ 16.01 ପ୍ରତିଶତ ରହିଛି । ସେହିପରି ସବୁଜ ପନିପରିବା ଦରଦାମ୍ ମହଙ୍ଗା ଦର 8.18 % ରହିଛି । ଖୁଚୁରା ମହଙ୍ଗା ଦରରେ ହ୍ରାସ ଇଏମ୍ଆଇ ଭରୁଥିବା ଲୋକମାନଙ୍କୁ ଅଧିକ ଆଶ୍ୱସ୍ତି ଆଣିଦେବ । ଏହା ସହିତ ଆଗକୁ ଋଣରେ ସୁଧହାର ହ୍ରାସ ପାଇବାର ମଧ୍ୟ ଆଶା ରହିବ ।
ଆରବିଆଇ ଆର୍ଥିକ ବର୍ଷ 2023-24 ରେ ଖୁଚୁରା ମହଙ୍ଗା ଦର 5.1 ପ୍ରତିଶତ ରହିବ ବୋଲି ଆକଳନ କରିଛି । ଅପ୍ରେଲରୁ ଜୁନ୍ ତ୍ରୈମାସରେ ଏହା 4.6 ପ୍ରତିଶତ ବୋଲି ଆକଳନ କରାଯାଇଛି । କିନ୍ତୁ ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ପ୍ରାୟ 4 ପ୍ରତିଶତରେ ପହଞ୍ଚିଛି । ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଅଗଷ୍ଟ 2023 ରେ, ଯେତେବେଳେ ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ହେବ, ସେତେବେଳେ ସୁଧ ହ୍ରାସ ଆଶା କରାଯାଇପାରେ ।












Click it and Unblock the Notifications