ଆହୁରି ଖସିବ ଭାରତୀୟ ମୁଦ୍ରାର ମୂଲ୍ୟ ! ବିଦେଶୀ ଋଣ ପାଇଁ ଅସୁବିଧାରେ ପଡ଼ିପାରେ ଦେଶର ଅର୍ଥନୀତି
ଭାରତ ସାମ୍ନାରେ ସମସ୍ୟା କେବଳ ଯେ ବୈଦେଶିକ ଋଣ ବହୁତ ଅଧିକ ହୋଇଛି ତାହା ନୁହଁ, ଏହା ସହିତ ଜୁନ୍ ମାସରେ ଭାରତର ବାଣିଜ୍ୟ ନିଅଣ୍ଟ ମଧ୍ୟ ବୃଦ୍ଧି ପାଇଛି ଏବଂ ଏହି କାରଣରୁ ଟଙ୍କା ଉପରେ ଚାପ ମଧ୍ୟ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ରେକର୍ଡ ସ୍ତର 80 ଅତିକ୍ରମ କରିଥିବା ଭାରତୀୟ ମୁଦ୍ରାର ମୂଲ୍ୟ ଆଗାମୀ ଦିନରେ କୌଣସି ଉନ୍ନତିର ଲକ୍ଷଣ ଦେଖାଯାଉ ନାହିଁ । ବୈଦେଶିକ ଋଣ ପରିଶୋଧ ହେତୁ ଟଙ୍କାର ମୂଲ୍ୟ ହ୍ରାସ ଆହୁରି ବୃଦ୍ଧି ପାଇପାରେ । ଭାରତ ସାମ୍ନାରେ ସମସ୍ୟା କେବଳ ଯେ ବୈଦେଶିକ ଋଣ ବହୁତ ଅଧିକ ହୋଇଛି ତାହା ନୁହଁ, ଏହା ସହିତ ଜୁନ୍ ମାସରେ ଭାରତର ବାଣିଜ୍ୟ ନିଅଣ୍ଟ ମଧ୍ୟ ବୃଦ୍ଧି ପାଇଛି ଏବଂ ଏହି କାରଣରୁ ଟଙ୍କା ଉପରେ ଚାପ ମଧ୍ୟ ବୃଦ୍ଧି ପାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଉପରେ ବାହ୍ୟ ଋଣରେ 47.1 ବିଲିୟନ ଡ଼ଲାର ବୃଦ୍ଧି ପାଇଛି ଏବଂ ଏହି ଆର୍ଥିକ ବର୍ଷରେ ଭାରତ ଉପରେ ମୋଟ ବାହ୍ୟ ଋଣ 620.7 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଅବଶ୍ୟ, ଗତ ଆର୍ଥିକ ବର୍ଷ ତୁଳନାରେ ବାହ୍ୟ ଋଣ ଆମର ମୋଟ ଜିଡିପିର 19.9 ପ୍ରତିଶତରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ଅର୍ଥାତ୍ 2020-21 ରେ 21.2 ପ୍ରତିଶତ ଥିଲା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥ୍ୟ ଅନୁଯାୟୀ, ଭାରତର ଦୀର୍ଘକାଳୀନ ଋଣ (ମୂଳ ପରିପକ୍ୱତା ଏକ ବର୍ଷରୁ ଅଧିକ) 499.1 ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ମାର୍ଚ୍ଚ 2021 ସୁଦ୍ଧା 26.5 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି । ଯେତେବେଳେ କି, ଆର୍ଥିକ ବର୍ଷରେ ଭାରତର ସ୍ୱଳ୍ପ ମିଆଦି ଋଣ 19.6 ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ଏକ ବର୍ଷ ପୂର୍ବେ 17.6 ପ୍ରତିଶତ ଥିଲା । କିନ୍ତୁ, ସ୍ୱଳ୍ପ ମିଆଦି ଋଣ ନିଜେ ଭାରତ ସରକାର ପାଇଁ ଅସୁବିଧା ସୃଷ୍ଟି କରିଛି, କାରଣ ଭାରତକୁ ଚଳିତ ବର୍ଷ ସ୍ୱଳ୍ପ ମିଆଦି ଋଣ ଦେବାକୁ ପଡିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ଭାରତ ଉପରେ ପ୍ରାୟ 621 ବିଲିୟନ ଡ଼ଲାର ଋଣର ପ୍ରାୟ 40 ପ୍ରତିଶତ ଅର୍ଥାତ୍ 267 ବିଲିୟନ ଡ଼ଲାରର ବୈଦେଶିକ ଋଣ ଆସନ୍ତା 9 ମାସ ମଧ୍ୟରେ ଭାରତ ସରକାର ଫେରସ୍ତ କରିବେ ଏବଂ ଏହା ସରକାର ପାଇଁ ଏକ ଆହ୍ୱାନ । ଏହି ପରିଶୋଧ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରର ପ୍ରାୟ 44% ସହିତ ସମାନ । ଅର୍ଥାତ୍ ଯଦି ଭାରତ ଏହି ଋଣ ପରିଶୋଧ କରେ, ତେବେ ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର ଅତି ଶୀଘ୍ର ହ୍ରାସ ପାଇବ ଏବଂ ଭାରତରେ ଦୈନିକ ଦ୍ରବ୍ୟର ମୂଲ୍ୟରେ ବହୁତ ବୃଦ୍ଧି ଘଟିପାରେ ।
ICRA ର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତ୍ୟ ନାୟାର ଆକଳନ କରିଛନ୍ତି ଯେ ଏହି ପରିସ୍ଥିତି ମଧ୍ୟରେ ବର୍ତ୍ତମାନ ଡଲାର ତୁଳନାରେ ଟଙ୍କା ଆହୁରି ହ୍ରାସ ହୋଇପାରେ । ସେ କହିଛନ୍ତି ଯେ ବିଶ୍ୱର ପ୍ରତିକୂଳ ଅବସ୍ଥା ଏବଂ ଡଲାରର ମଜବୁତକୁ ଦୃଷ୍ଟିରେ ରଖି ବାଣିଜ୍ୟ ନିଅଣ୍ଟ ବୃଦ୍ଧି ହେତୁ ଭାରତୀୟ ଟଙ୍କାର ମୂଲ୍ୟ ଆହିରୁ ହ୍ରାସ ହୋଇ 80-81 ହୋଇପାରେ । ଆପଣଙ୍କୁ କହି ରଖୁଛୁ ସୋମବାର ଦିନ ଡଲାର ତୁଳନାରେ ଭାରତୀୟ ମୁଦ୍ରା 78.95 ରେ ବନ୍ଦ ହୋଇଛି ।
ଯଦିଓ ଭାରତ ନିକଟରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ବିଦେଶୀ ମୁଦ୍ରା ରହିଛି, କିନ୍ତୁ ଏହା ହ୍ରାସ ହେବା ଆରମ୍ଭ ହୋଇଛି । କାରଣ ରେକର୍ଡ ପୋର୍ଟଫୋଲିଓ ପ୍ରତ୍ୟାହାରର ପ୍ରଭାବକୁ ଦୂର କରିବା ପାଇଁ ଫେବୃଆରୀରୁ ଆରବିଆଇ 41 ବିଲିୟନ ଡଲାର ବିକ୍ରି କରିଛି । 3 ସେପ୍ଟେମ୍ବର 2021 ରେ, ଭାରତରେ 642.5 ବିଲିୟନ ଡ଼ଲାରର ବୈଦେଶିକ ମୁଦ୍ରା ଭଣ୍ଡାର ଥିଲା, କିନ୍ତୁ ଜୁନ୍ 24 ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 593.3 ବିଲିୟନ ଡ଼ଲାରକୁ ଖସି ଆସିଛି । ଜମାକାରୀ NSDL ର ତଥ୍ୟ ଅନୁଯାୟୀ ବିଦେଶୀ ପାଣ୍ଠି ଚଳିତ ବର୍ଷ ଜୁଲାଇ 4 ପର୍ଯ୍ୟନ୍ତ ଭାରତୀୟ ଆର୍ଥିକ ସମ୍ପତ୍ତିରେ ମୋଟ 30.67 ବିଲିୟନ ଡ଼ଲାର ବିକ୍ରି କରିଛି ।












Click it and Unblock the Notifications