ରେକର୍ଡ କଲା ସୁନା ମୂଲ୍ୟ, ପ୍ରଥମ ଥର ପାଇଁ ପାର୍ ହେଲା 60 ହଜାର, କଣ କରିବେ ସୁନା ନିବେଶକ ?
ସୋମବାର, ମାର୍ଚ୍ଚ 20 ରେ ପ୍ରଥମ ଥର ପାଇଁ ସୁନା ମୂଲ୍ୟ 60,000 ଟଙ୍କା ଅତିକ୍ରମ କରିଛି । 24 କ୍ୟାରେଟ୍ ସୁନା ମୂଲ୍ୟ ଆଜି 10 ଗ୍ରାମ ପିଛା 61570 ଟଙ୍କାରେ ପହଞ୍ଚିଛି ।

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ହୋଇଛି । ସାଧାରାଣତଃ ଲୋକଙ୍କ ପାଇଁ ସୁନା କିଣିବା ସେତେଟା ସହଜ କଥା ନୁହେଁ । ଏହି ସମୟରେ ସୋମବାର, ମାର୍ଚ୍ଚ 20 ରେ ପ୍ରଥମ ଥର ପାଇଁ ସୁନା ମୂଲ୍ୟ 60,000 ଟଙ୍କା ଅତିକ୍ରମ କରିଛି । 24 କ୍ୟାରେଟ୍ ସୁନା ମୂଲ୍ୟ ଆଜି 10 ଗ୍ରାମ ପିଛା 61570 ଟଙ୍କାରେ ପହଞ୍ଚିଛି । ଯାହାକି ଆଜି ପର୍ଯ୍ୟନ୍ତ ସୁନାର ସର୍ବାଧିକ ମୂଲ୍ୟ ରହିଛି । 22 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା ମୂଲ୍ୟ ରହିଛି 55 ହଜାର 450 ଟଙ୍କା ।
ସେହିପରି ଭୁବନେଶ୍ୱରେ 22 କ୍ୟାରେଟ୍ ସୁନାର ମୂଲ୍ୟ 54 ହଜାର ଟଙ୍କା ପାର୍ ହୋଇଛି । ରୁପା କିଲୋ ମଧ୍ୟ 71 ହଜାର ଟଙ୍କାରେ ପହଞ୍ଚିଛି ।
ଆମେରିକାର ଓ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ସଂକଟ ଯୋଗୁଁ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଶ୍ୱ ଅର୍ଥନୀତି । ବିଭିନ୍ନ ବ୍ୟାଙ୍କରେ ସେୟାର ହ୍ରାସ ଏବଂ ବଣ୍ଡ ମୂଲ୍ୟରେ ହ୍ରାସ ହେବାରୁ ଲୋକେ ୟେଲୋ ମେଟାଲ୍ ବା ସୁନା ରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି । ବଡ଼ ବଡ଼ ନିବେଶକମାନେ ଅଧିକ ପରିମାଣର ସୁନା କିଣୁଥିବାରୁ ହଠାତ୍ ସୁନା ମୁଲ୍ୟରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଫଳରେ ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି ।
ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ସୁନାରେ ନିବେଶ କରିଥିବା ସାଧାରଣ ଲୋକ ଅଧିକ ନିବେଶ କରିବେ ନା ବିକିବେ କିମ୍ବା ନିବେଶକୁ ହୋଲ୍ଡ କରି ରଖିବେ ।
ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଆଲଫା କ୍ୟାପିଟାଲର ସହ-ପ୍ରତିଷ୍ଠାତା ଡକ୍ଟର ମୁକେଶ ଜିନ୍ଦଲ କହିଛନ୍ତି ଯେ ଆମେରିକୀୟ ଡଲାରରୁ ଲାଭ ହୋଇଥିବାରୁ ନିକଟ ଭବିଷ୍ୟତରେ ସୁନା ଭଲ କାମ କରିବ ବୋଲି ଆଶା କରାଯାଉଛି । ଡଲାର ସୂଚକାଙ୍କ ସହିତ ସୁନାରେ ନକାରାତ୍ମକ ସମ୍ପର୍କ ରହିଛି । ଯେତେବେଳେ ଡଲାର ସୂଚକାଙ୍କ ହ୍ରାସ ହୁଏ ସୁନା ମୂଲ୍ୟ ବୃଦ୍ଧି ହୁଏ ।
22 ଅକ୍ଟୋବରରୁ ଆମେରିକୀୟ ଡଲାର ସୂଚକାଙ୍କ ହ୍ରାସ ପାଉଛି ଏବଂ ସେହି ଅନୁଯାୟୀ ସୁନା ମୂଲ୍ୟ 22 ଅକ୍ଟୋବରରୁ ବୃଦ୍ଧି ପାଇଛି । ଏହା ଜାରି ରହିବ ବୋଲି ଆଶା କରାଯାଉଛି । କାରଣ ଆମେରିକାର ଫେଡ 2023 ରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ସଙ୍କଟ ପରେ ହାର ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ ଆମେରିକାର ଡଲାର ସୂଚକାଙ୍କ ଆହୁରି ଦୁର୍ବଳ ହୋଇଯିବ । ତେଣୁ ଆସନ୍ତା ମାସରେ ସୁନା ଅଧିକ ମହଙ୍ଗା ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications