ଆର୍ଥିକ ବର୍ଷ 2021-22 ପାଇଁ 9.5 ପ୍ରତିଶତ ରହିପାରେ ଜିଡିପି ଅଭିବୃଦ୍ଧି
କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ 2021-22 ପାଇଁ ଜିଡିପି ଅଭିବୃଦ୍ଧି 9.5 ପ୍ରତିଶତ ରହିବା ନେଇ ଆକଳନ କରିଥିବାବେଳେ ଏହା ପୂର୍ବରୁ 10.5 ପ୍ରତିଶତ ବୋଲି ଅନୁମାନ କରାଯାଇଥିଲା । ଏହା ବ୍ୟତୀତ ଖୁଚୁରା ମୁଦ୍ରାସ୍ଫୀତି ହାର 5.1 ପ୍ରତିଶତ ବୋଲି ଆକଳନ କରିଛି ।
ନୂଆଦିଲ୍ଲୀ : ସମଗ୍ର ଦେଶ କରୋନା ମହାମାରୀର ଶିକାର ହୋଇଛି, ଯାହା ଅର୍ଥନୀତି ଉପରେ ବହୁତ ଖରାପ ପ୍ରଭାବ ପକାଉଛି । ଏଭଳି ପରିସ୍ଥିତିରେ ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ମୁଦ୍ରା ସମୀକ୍ଷାର ଘୋଷଣା କରିଛି । ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ 2021-22 ପାଇଁ ଜିଡିପି ଅଭିବୃଦ୍ଧି 9.5 ପ୍ରତିଶତ ରହିବା ନେଇ ଆକଳନ କରିଥିବାବେଳେ ଏହା ପୂର୍ବରୁ 10.5 ପ୍ରତିଶତ ବୋଲି ଅନୁମାନ କରାଯାଇଥିଲା । ଏହା ବ୍ୟତୀତ ଖୁଚୁରା ମୁଦ୍ରାସ୍ଫୀତି ହାର 5.1 ପ୍ରତିଶତ ବୋଲି ଆରବିଆଇ ଆକଳନ କରିଛି ।

ଗଣମାଧ୍ୟମ ସହ ଆଲୋଚନା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅର୍ଥନୀତିର ଏକ ସାଧାରଣ ଦୃଷ୍ଟିକୋଣ ଦେବା ସହ ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଅଭିବୃଦ୍ଧିକୁ ସମର୍ଥନ କରିବାର ଆବଶ୍ୟକତା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ରେପୋ ରେଟ୍ ଉପରେ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ସହିତ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ 15,000 କୋଟି ଟଙ୍କାର ଏକ ପୃଥକ ଲିକ୍ୟୁଇଟି ୱିଣ୍ଡୋ ଖୋଲାଯାଉଛି, ଯାହା ଦ୍ୱାରା ମହାମାରୀ ଦ୍ୱିତୀୟ ଲହରର ପ୍ରତିକୂଳ ପ୍ରଭାବକୁ ହ୍ରାସ କରାଯାଇପାରିବ । ଏହି ଯୋଜନା ଅଧୀନରେ ବ୍ୟାଙ୍କ, ହୋଟେଲ, ରେସ୍ତୋରାଁ, ପର୍ଯ୍ୟଟନ, ଟ୍ରାଭେଲ ଅପରେଟର, ବିମାନ ଚଳାଚଳ ଏବଂ ସହଯୋଗୀ ସେବା, ବସ୍ ଅପରେଟର ଇତ୍ୟାଦିକୁ ନୂତନ ଋଣ ସହାୟତା ପ୍ରଦାନ କରାଯାଇପାରିବ । ଆହୁରି ମଧ୍ୟ ବ୍ୟାଙ୍କଗୁଡିକ ଏହିପରି ଅନ୍ୟାନ୍ୟ ଋଣ ପ୍ରଦାନ କରିବାକୁ ଉତ୍ସାହିତ କରାଯିବ ।
ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ର ଋଣ ଆବଶ୍ୟକତାକୁ ଅଧିକ ସମର୍ଥନ କରିବା ପାଇଁ 16 ହଜାର କୋଟିର ଅନ୍ୟ ଏକ ସ୍ୱତନ୍ତ୍ର ୱିଣ୍ଡୋ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆରବିଆଇ ଏହାର ମୁଦ୍ରା ନୀତି କମିଟିରେ ସର୍ବସମ୍ମତି କ୍ରମେ ରେପୋ ହାରକୁ 4 ପ୍ରତିଶତରେ ରଖିଛି । ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ ।












Click it and Unblock the Notifications