ପ୍ରଥମାଷ୍ଟମୀ: ପୋଢୁଆଁ ହେବେ ବଡ଼ଭାଇ ବଳଭଦ୍ର, ଘରେ ଘରେ ଏଣ୍ଡୁରୀ ପିଠାର ମହକ
ଆଜି ପ୍ରଥମାଷ୍ଟମୀ ତଥା ପୋଢୁଆଁ ଅଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର । ଏନେଇ ଶ୍ରୀଜିଉଙ୍କ ମାମୁଁଘର ନିଆଳୀରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର । ମାଧବାନନ୍ଦ ଜୀଉଙ୍କ ପୀଠରୁ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ ଫଳ ନେଇ ଭାର ଗତକାଲି ଶ୍ରୀକ୍ଷେତ୍ର ପହଞ୍ଚିଥିଲା ।
ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତି । ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜାର୍ଚ୍ଚନା କରାଯାଏ । ଏଥିସହ ବଡ଼ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ସେମାନଙ୍କ ବନ୍ଦାପନା କରାଯାଏ ।

ସେପଟେ ପ୍ରଥମାଷ୍ଟମୀ ପାଇଁ ପୁରପଲ୍ଲୀରେ ଉତ୍ସାହର ମାହୋଲ । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଅନୁଷ୍ଠିତ ହୋଇଛି ପୂଜାବିଧି । ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି ।
ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ବଡ ପୁଅଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ ଝିଅ ହେଉ କି ପୁଅ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା' ମାନେ ବନ୍ଦାପନା କରନ୍ତି। ବନ୍ଦାପନା ପରେ ସେମାନେ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି ।
ଏହା ସହ ପ୍ରଥମାଷ୍ଟମୀରେ ଘରେ ଘରେ ଏଣ୍ଡୁରୀ ପିଠାର ମହକ । ହଳଦୀପତ୍ର ବ୍ୟବହାର କରି ଏହି ପିଠା କେବଳ ପ୍ରଥମାଷ୍ଟମୀରେ ହେଉଥିବା ବେଳେ ଏହାର ଅନେକ ଔଷଧୀୟ ଗୁଣ ରହିଛି ।












Click it and Unblock the Notifications