Kartika Purnima: କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି ନଦୀ-ପୋଖରୀରେ ଗୁଞ୍ଜରିତ ହୁଏ ‘ଆ କା ମା ବୈ’ ?
ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ। ବୋଇତ ବନ୍ଦାଣକୁ ଡଙ୍ଗା ଭସା ନାମରେ ମଧ୍ୟ ଜଣାଯାଏ। ଏହା ଏକ ପାରମ୍ପରିକ ଓଡିଆ ସାମୁଦ୍ରିକ ତଥା ନୌପର୍ବ ଯାହାକି ସମଗ୍ର ଭାରତରେ ପାଳନ କରାଯାଏ। ବୋଇତ ବନ୍ଦାଣ ଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ପ୍ରାତଃ ସକାଳେ ପାଳ କରାଯାଏ ଯାହା ପାରମ୍ପରିକ ଓଡିଆ କ୍ୟାଲେଣ୍ଡରରେ କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ବୁଝାଏ।
ଆକାମାବୈରେ ଗୁଞ୍ଜରିତ ସେଦିନର ଉପକୂଳ ଅଞ୍ଚଳର ସ୍ମୃତି ଆଜି ବି ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ରହିଛି। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ପୁର ପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି। ସାତ ଭାଇ ଓ ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାରେ ରହିଛି।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ। ଅତୀତରେ ଓଡ଼ିଆ ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ନେଇ ବେପାର ବଣିଜ କରିବାକୁ ଯାଉଥିବା କିମ୍ବଦନ୍ତୀ ରହିଛି। ସେଇ ସ୍ମୃତିକୁ ମନେ ପକେଇବାକୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଯାଏ। କଦଳୀ ଗଛର ପାଟୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ, ମୁଗ, ବିରି, ଘିଅଦୀପ, ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଆଦି ରଖି ନଦୀ କିମ୍ବା ପୋଖରୀରେ ଭସାଯାଏ।
ଆଜିକାଲି ସୋଲ ଓ କାଗଜରେ ସୁନ୍ଦର ସୁନ୍ଦର ଡଙ୍ଗା ତିଆରି ହୋଇ ବିକ୍ରି ହେଉଛି ଆଉ ଭସାଯାଉଛି। ଡଙ୍ଗା ଭସେଇବା ବେଳେ ପ୍ରତି ଓଡିଆଙ୍କ ମୁହଁରୁ "ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର"ର ଗୁଞ୍ଜରଣ ଶୁଣିବାକୁ ମିଳେ।
ଏହା କହିବାର ତାତ୍ପର୍ଯ୍ୟ ହେଲା ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ, ଏହି ଚାରି ମାସ ଧର୍ମ ମାସ କୁହାଯାଏ। ଏହି ଚାରି ମାସରେ ନଦୀ ପୋଖରୀରେ ଗାଧେଇ ହବିଷ କଲେ ଧର୍ମ ହେଇଥାଏ ବୋଲି ବିଶ୍ୱାସ ରହିଛି। ଯେହେତୁ ନଦୀ ଓ ପୋଖରୀ ସବୁ ପାପ ଧୋଇ ଦିଅନ୍ତି, ତେଣୁ ଦକ୍ଷିଣା ସ୍ୱରୂପ ତାଙ୍କୁ ପାନ ଗୁଆ ଦିଆ ଯାଇଥାଏ। ସେଥିପାଇଁ କୁହାଯାଏ "ପାନ ଗୁଆ ତୋର, ମାସକ ଧରମ ମୋର"।
ଆଉ ଏକ ମତ ଅନୁସାରେ "ଆ, କା, ମା, ଭୈ"। ଆ-ଆକାଶ, କା-ଜଳ,ମା-ନାହିଁ, ଭୈ-ଭୟ। ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପରେ ଆଉ ପବନ ବର୍ଷାର ଭୟ ନାହିଁ। ସେଥିପାଇଁ ଏହି ସମୟରେ ସାଧବମାନେ ନୌବାଣିଜ୍ୟ କରୁଥିଲେ। ସାମୁଦ୍ରିକ ଝଡର ଭୟ ନ ଥିବାରୁ ସେମାନଙ୍କ ଯାତ୍ରା ସଫଳ ହେଉଥିଲା।
ଆମର ଧାର୍ମିକ ପରମ୍ପରାରେ 'କା-ମା-ବୈ' ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି। ଏହି ତିନି ମାସକୁ ନେଇ 'ମାହାତ୍ମ୍ୟ' ମାନ ମଧ୍ୟ ରଚିତ ହୋଇଛି। କିନ୍ତୁ 'ଆ' ଅର୍ଥାତ୍ ଆଷାଢ଼ ମାସରେ ହବିଷ୍ୟ ପାଳନର ବିଧାନ ଆମ ପରଂପରାରେ ନଥିଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦୃଷ୍ଟିରୁ ଏହାକୁ ପବିତ୍ର ମାସ ରୂପେ ଗ୍ରହଣ କରାଯାଇଥାଏ।
'ଆ-କା-ମା-ବୈ'ର ଏହି ଧାର୍ମିକ ପରମ୍ପରା କେବଳ ଯେ ଆମ ଓଡ଼ିଶାରେ ଅଛି, ତାହା ନୁହେଁ। 'ମତ୍ସ୍ୟପୁରାଣ'ରେ ଏହାର ଉଲ୍ଲେଖ ମିଳେ। ବିଷୁବ ସଂକ୍ରାନ୍ତିରେ ଦାନ କଲେ, ଏହି ଧର୍ମ ମାସଗୁଡ଼ିକର ପୁଣ୍ୟ ଫଳ ମିଳେ ବୋଲି ସେଥିରେ କୁହାଯାଇଛି।
ଏଣୁ କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ବେଳର ଏହି ଲୋକଗୀତର ସଂକେତ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ ଆମର ଧାର୍ମିକ ପରମ୍ପରା ସହିତ ହିଁ ଯୋଡ଼ିଥାଏ।
-
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ






Click it and Unblock the Notifications