୪୪ ବର୍ଷରେ ପାଦ ଥାପିଲେ ଯୁବରାଜ ସିଂହ, ସବୁଠୁ ଛୁଟିଛି ଜନ୍ମ ଦିନର ଶୁଭେଚ୍ଛା
ଦିନିକିଆ ହେଉ କି ଟି-୨୦ ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ସେଥିପାଇଁ ତ ତାଙ୍କ ନାଁ ଯୁବରାଜ । କ୍ରିକେଟରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ । ଟିମ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂ ଆଉ ଚିତା ପରି ଫିଲ୍ଡିଂ ଆଗରେ ବିରୋଧୀ ଚିତ୍ ହୋଇଯାଆନ୍ତି । ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟଙ୍କ ଜନ୍ମଦିନ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ।

୧୨ ଡିସେମ୍ବର ୧୯୮୧ ମସିହାରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ । ଆଜି ତାଙ୍କୁ ୪୪ ବର୍ଷ ହୋଇଛି । ଯୁବରାଜ ଏମିତି ଜଣେ ଖେଳାଳି ଯିଏ ଟି-୨୦ ଆଉ ଦିନିକିଆ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । କେବଳ ସଦସ୍ୟ ନୁହେଁ ଭାରତକୁ ଚାମ୍ପିୟନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଉ ଏହି ଦୁଇ ବିଶ୍ୱକପରେ ଟିମ ଇଣ୍ଡିଆ ପାଉଁ ତାଙ୍କ ଅବଦାନକୁ ଭାରତ କେବେ ବି ଭୁଲିବନି ।
ମନେଥିବ ୨୦୦୭ ଟି-୨୦ ବିଶ୍ୱକପର ଇଂଲଣ୍ଡ ବିପକ୍ଷ ମ୍ୟାଚ । ଯେଉଁ ମ୍ୟାଚରେ ସେ ପ୍ରମାଣ କରିଥିଲେ ତାଙ୍କୁ କାହିଁକି କୁହାଯାଏ ସିକ୍ସର କିଙ୍ଗ । ସେହି ମ୍ୟାଚରେ ଯୁବରାଜ ଇଂଲଣ୍ଡର ଦୁର୍ଦ୍ଦଶ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ବଲରେ ୬ଟି ଛକା ମାରି ତାଙ୍କ ନିଦ ହଜାଇଦେଇଥିଲେ । ଆଉ ଏହି ୬ଟି ଛକା ସହ ସେ ବିଶ୍ୱ ରେକର୍ଡ ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ ସେ ଏହି ମ୍ୟାଚରେ ଦ୍ରୁତତମ ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ । ସେ ୧୨ଟି ବଲରୁ ୫୦ ରନ କରିଥିଲେ । ଏଭଳି ରେକର୍ଡ କରିବାରେ ସେତେବେଳେ ସେ ବିଶ୍ୱର ପ୍ରଥମ ଖେଳାଳି ଥିଲେ ।












Click it and Unblock the Notifications