Get Updates
Get notified of breaking news, exclusive insights, and must-see stories!

ଆଜିଠୁ ବିଶ୍ବ ଟେଷ୍ଟ୍ ଫାଇନାଲ୍‌: ବିଜେତାକୁ ୩୦ କୋଟି, ଉପବିଜେତାକୁ ୧୮ କୋଟି

ଆଜିଠୁ ଐତିହାସିକ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ୨୦୨୩-୨୫ ଚକ୍ରର ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ (ଡବ୍‌ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ଗତ ସଂସ୍କରଣ ବିଜେତା ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକା।

ଟ୍ରଫି ଡିଫେଣ୍ଡ୍ କରିବା ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ଦଳକୁ ପ୍ୟାଟ୍ କମିନ୍ସ ଓ ଜୋସ୍ ହାଜେଲଉଡ୍‌ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିବା ଭଲ ଖବର ହୋଇଛି। କିନ୍ତୁ ବୋଲିଂ ଓ ମଧ୍ୟକ୍ରମ ବ୍ୟାଟିଂକୁ ନେଇ ସାମାନ୍ୟ ଦ୍ବନ୍ଦ୍ବ ରହିଛି। ଅନ୍ୟପକ୍ଷରେ ଡ୍ରଗ୍ସ ସେବନ ଜନିତ ନିଲମ୍ବନରୁ କାଗିସୋ ରବାଡ଼ା ବି ଫେରି ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀକୁ ଦୃଢ଼ କରିଛନ୍ତି। ତେମ୍ବା ବଭୁମା ଓ ଡେଭିଡ୍‌ ବେଡିଙ୍ଗହମ୍‌ ଆହତ ସମସ୍ୟାରୁ ମୁକୁଳି ଥିବାରୁ ଦଳ ଆତ୍ମବିଶ୍ବାସରେ ରହିଛି। ନ୍ୟୁଜିଲାଣ୍ଡ୍‌ର କ୍ରିସ୍ ଗଫାନି ଏବଂ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗ୍‌ୱର୍ଥ ଲଗାତାର ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବେ। ଉଭୟ ୨୦୨୩ ମସିହାର ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌ ମଧ୍ୟ ପରିଚାଳନା କରିଥିଲେ। ରିଚାର୍ଡ କେଟଲବରୋ ତୃତୀୟ ଅମ୍ପାୟାର୍ ରହିବେ ଏବଂ ଭାରତର ନୀତିନ ମେନନ ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ପଦାର୍ପଣ କରିବେ ଚତୁର୍ଥ ଅମ୍ପାୟାର ଭାବେ। ପୂର୍ବ ଦୁଇ ସଂସ୍କରଣ (୨୦୨୧, ସାଉଥାମ୍ପଟନ୍‌ ଏବଂ ୨୦୨୩, ଦ ଓଭାଲ୍) ଭଳି ଡ୍ୟୁକ୍‌ ବଲ୍‌ ମଧ୍ୟ ଏଥର ଫାଇନାଲ୍‌ରେ ବ୍ୟବହାର ହେବ।

wtc Final from today south africa vs australia

ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବଭୁମା (ଅଧିନାୟକ), ଐଦେନ ମାରକ୍ରମ, ରିୟାନ ରିକେଲଟନ୍, ୱିଆନ୍ ମୁଲଡର, ତ୍ରିସ୍ତନ ଷ୍ଟବ୍ସ, ଡେଭିଡ୍ ବେଡିଙ୍ଗ୍‌ହାମ, କାଇଲ ଭେରିନେ, ମାର୍କୋ ୟାନ୍‌ସେନ୍‌, କେଶବ ମହାରାଜ, କାଗିସୋ ରବାଡ଼ା, ଲୁଙ୍ଗି ଏନ୍‌ଗିଡ଼ି।

ଅଷ୍ଟ୍ରେଲିଆ ଏକାଦଶ: ଉସ୍‌ମାନ୍‌ ଖୱାଜା, ମାର୍ନସ ଲାବୁସେନ, କ୍ୟାମରନ୍ ଗ୍ରିନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ବିୟୁ ୱେବ୍‌ଷ୍ଟର୍, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ୍‌ ଲାୟନ୍‌, ଜୋସ୍ ହାଜେଲଉଡ୍।

ମୁହାଁମୁହିଁ ଓ ଫାଇନାଲ୍ ପଥ
ଲର୍ଡସରେ ଉଭୟ ଦଳ ଭଲ କରି ଆସିଛନ୍ତି। ଅଷ୍ଟ୍ରେଲିଆ ୨୦୧୫ ମସିହା ପରଠାରୁ ଖେଳିଥିବା ଶେଷ ୩ ଟେଷ୍ଟ୍‌ରେ ଏଠାରେ ଅପରାଜିତ ରହିଛି। ଦକ୍ଷିଣ ଆଫ୍ରିକା ଲର୍ଡସରେ ଖେଳିଥିବା ଶେଷ ୩ ଟେଷ୍ଟ୍‌ରୁ ୨ଟି ଜିତିଛି। ୨୦୨୩-୨୫ ଡବ୍‌ଲ୍ୟୁଟିସି ଚକ୍ରରେ ଦକ୍ଷିଣର ଆଫ୍ରିକା ୧୨ ଟେଷ୍ଟ୍‌ରୁ ୮ ଜିତିଛି। ଅଷ୍ଟ୍ରେଲିଆ ୧୯ରୁ ୧୩ ଟେଷ୍ଟ୍ ଜିତିଛି। ଉଭୟ ଦଳ ମଧ୍ୟରେ ‌ହୋଇଥିବା ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ମଧ୍ୟ ୨-୦ରେ ଜିତିଥିଲା। ୨ ବର୍ଷ ତଳେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲ୍ ଜିତିଥିଲା। ଅଷ୍ଟ୍ରେଲିଆ ମଧ୍ୟ ଏକମାତ୍ର ଦେଶ ଯିଏ ସମସ୍ତ ୪ ଗ୍ଲୋବାଲ୍‌ ଟ୍ରଫି ଜିତିଛି। ୫୦ ଓଭରିଆ ଦିନିକିଆ ବିଶ୍ବକପ୍‌, ୨୦ ଓଭରିଆ ବିଶ୍ବକପ୍‌, ଚାମ୍ପିଅନ୍ସ ଟ୍ରଫି ଓ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍‌ ବିଜୟ ସହ ଏହି ୪ ପ୍ରମୁଖ ଆଇସିସି ଇଭେଣ୍ଟ୍‌ରେ ଅଷ୍ଟ୍ରେଲିଆ ୧୩ ଫାଇନାଲ୍ ଖେଳି ୧୦ ଜିତିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୧୯୯୮ ମସିହାରେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠାରୁ ଆଉ କୌଣସି ଆଇସିସି ମୁକୁଟ ଜିତିପାରିନାହିଁ।

ଫାଇନାଲ୍‌ ବାତିଲ ହେଲେ?
ଏହି ଫାଇନାଲ୍ ମ୍ୟାଚ୍‌ରୁ ସିଧାସଳଖ ଫଳାଫଳ ନ ବାହାରିଲେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବାର ନିୟମ ରହିଛି। ଏଥିରେ ଟାଇ, ଡ୍ର' ଓ ବାତିଲ ମ୍ୟାଚ୍‌ ବି ସାମିଲ ରହିବ। ଫାଇନାଲ୍ ବିଜେତାଙ୍କୁ ଏଥର ୩,୬୦୦,୦୦୦ ଆମେରିକୀୟ ଡଲାର୍‌ (ପ୍ରାୟ ୩୦ କୋଟି ୮୫ ଲକ୍ଷ ଟଙ୍କା) ଏବଂ ଉପ ବିଜେତାକୁ ୨,୧୬୦,୦୦୦ (ପ୍ରାୟ ୧୮ କୋଟି ୫୧ ଲକ୍ଷ ଟଙ୍କା) ଆମେରିକୀୟ ଡଲାର୍‌ ପ୍ରଦାନ କରିଯିବ। ବିଜେତା ଦଳ ଟେଷ୍ଟ୍ ଗଦା ମଧ୍ୟ ହାସଲ କରିବ।

ବିଜେତାକୁ ୩୦ କୋଟି, ଉପବିଜେତାକୁ ୧୮ କୋଟି
ଦୁବାଇ: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ତୃତୀୟ ସ୍ଥାନରେ ରହିବା ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳ ଗତ ସଂସ୍କରଣର ବିଜେତା ଯେତିକି ଆର୍ଥିକ ପୁରସ୍କାର ପାଇଥିଲା ପ୍ରାୟତଃ ସେତିକି ପାଇବ। ଏଥର ଭାରତ ଆଇସିସିଠାରୁ ୧୪,୪୦,୦୦୦ ଡଲାର ବା ୧୨.୩୨ କୋଟି ଟଙ୍କା ପୁରସ୍କାର ବାବଦରେ ପାଇବ। କାରଣ ଏଥର ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ର ପୁରସ୍କାର ରାଶିକୁ ୫.୭୬ ନିୟୁତ ଡଲାର ବା ପାଖାପାଖି ସାଢ଼େ ୪୯ କୋଟି ଟଙ୍କାକୁ ବୃଦ୍ଧି କରିଛି। ଏଣୁ ଗତ ଦୁଇ ସଂସ୍କରଣରେ ବିଜେତା ହୋଇଥିବା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆଠାରୁ ଚଳିତ ସଂସ୍କରଣରେ ଯିଏ ବିଜେତା ହେବ ସିଏ ପାଖାପାଖି ଦ୍ବିଗୁଣ ଆର୍ଥିକ ପୁରସ୍କାର ଲାଭ କରିବ। ଏବର୍ଷ ବିଜେତା ୩୦ କୋଟି ୮୦ ଲକ୍ଷ ଟଙ୍କା ପାଇବ। ଉପବିଜେତା ୧୮ କୋଟି ୪୮ ଲକ୍ଷ, ତୃତୀୟ ସ୍ଥାନରେ ରହିବା ଦଳ (ଭାରତ) ୧୨.୩୨ କୋଟି, ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ ୧୦ କୋଟି ୨୬ ଲକ୍ଷ, ପଞ୍ଚମ ସ୍ଥାନ ଲାଗି ଇଂଲଣ୍ଡ ୮ କୋଟି ୨୧ ଲକ୍ଷ, ଷଷ୍ଠ ସ୍ଥାନରେ ରହିଥିବା ଶ୍ରୀଲଙ୍କା ୭ କୋଟି ୧୮ ଲକ୍ଷ, ସପ୍ତମ ସ୍ଥାନ ଲାଗି ବାଂଲାଦେଶ ୬ କୋଟି ୧୫ ଲକ୍ଷ, ଅଷ୍ଟମ ସ୍ଥାନ ଲାଗି ୱେଷ୍ଟଇଣ୍ଡିଜ୍ ୫ କୋଟି ୧୩ ଲକ୍ଷ, ନବମ ସ୍ଥାନ ଲାଗି ପାକିସ୍ତାନ ୪ କୋଟି ୧୦ ଲକ୍ଷ ଟଙ୍କା ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+