WTC ଫାଇନାଲ: ଶେଷ ଦିନରେ ଭାରତ ଆଗରେ ୨୮୦ ରନ୍ ଟାର୍ଗେଟ୍, ହାତରେ ଅଛି ୭ ୱିକେଟ୍
India vs Australia WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଆଜି (ରବିବାର) ଫାଇନାଲ ମ୍ୟାଚର ପଞ୍ଚମ ତଥା ଶେଷ ଦିନ ।
ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଜିତିବାକୁ ହେଲେ ଭାରତକୁ ଶେଷ ଦିନରେ ଦରକାର ୨୮୦ ରନ ଦରକାର ଥିବା ବେଳେ ହାତରେ ରହିଛି ମାତ୍ର ୭ ୱିକେଟ୍ । ଭାରତ ତାର ଦ୍ବିତୀୟ ପାଳିରେ ୧୬୪ ରନ କରିଥିବା ବେଳେ ୩ ୱିକେଟ୍ ହରାଇ ସାରିଛି । ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବିରାଟ କୋହଲି ୪୪ ରନ ଓ ଆଜିଙ୍କ୍ୟ ରାହାଣେ ୨୦ ରନ କରି ଅପରାଜିତ ରହିଛନ୍ତି । ଏହି ଦୁଇ ଖେଳାଳିଙ୍କ ଉପରେ ଏବେ ଭାରତର ଜିତିବା ଓ ହାରିବା ନିର୍ଭର କରୁଛି ।

ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ବିଶାଳ ୪୬୯ ସ୍କୋର କରିଥିଲେ ଅଷ୍ଟ୍ରେଲିଆ ଟିମ୍ । ଏହାପରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୯୬ ରନରେ ଅଲ୍ଆଉଟ୍ ହୋଇଥିଲା । ଶେଷରେ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ ଟିମ୍ ୨୭୦ ରନ୍ କରି ପାଳି ଘୋଷଣା କରିଥିଲା । ଯାହା ଫଳରେ ଟିମ୍ ଇଣ୍ଡିଆ ଆଗରେ ୪୪୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।
ତେବେ ଟାର୍ଗେଟକୁ ପିଛା କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ସକାରାତ୍ମକ ଆରମ୍ଭ କରିଥିଲେ । ଦୁହେଁ କେବଳ ସତର୍କତାର ସହ ବ୍ୟାଟିଂ କରି ନଥିଲେ ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ । ୭ ଓଭର ସୁଦ୍ଧା ଦଳୀୟ ସ୍କୋର ୪୧ରେ ଥିବା ବେଳେ ଗିଲ (୧୮) ରନ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଟି ବ୍ରେକ ହୋଇଥିଲା । ୧୫ ମିନିଟର ବ୍ରେକ ପରେ ରୋହିତ ଓ ଚେତେଶ୍ୱର ପୂଜାରା କମାଣ ସମ୍ଭାଳିଥିଲେ ।
ଉଭୟ ଦମଦାର ବ୍ୟାଟିଂ କରି ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ। ରୋହିତ ମଧ୍ୟ ଭଲ ଲୟରେ ଥିବା ଜଣାପଡ଼ୁଥିଲା । ତେବେ ଦଳୀୟ ସ୍କୋର ୯୨ ଥିବା ବେଳେ ନାଥନ ଲାୟନଙ୍କୁ ସୁଇପ ମାରିବାକୁ ଯାଇ ରୋହିତ(୪୩) ଆଉଟ ହୋଇ ଯାଇଥିଲେ । ଗୋଟିଏ ରନ ପରେ ପୂଜାରା (୨୭)ଙ୍କୁ ଆଉଟ କରି ପ୍ୟାଟ କମିନ୍ସ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।
ମାତ୍ର ୯୩ ରନରେ ଦଳ ହରାଇଥିଲା ୩ ଓ୍ୱିକେଟ୍ । ପରେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ବେଶ୍ ରକ୍ଷାଣତ୍ମକ ଭାବେ ଖେଳିଥିଲେ । ଉଭୟ ଧିରେ ଧିରେ ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ ।












Click it and Unblock the Notifications