ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲଠାରୁ ଦୁଇ ପାଦ ଦୂରରେ ଟିମ ଇଣ୍ଡିଆ
ଚଳିତ ବର୍ଷ ଜୁନ ମାସରେ ହେବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଭାରତକୁ ମାତ୍ର ଆଉ ଦୁଇଟି ବିଜୟ ଆବଶ୍ୟକ ରହିଛି ।
ନୂଆଦିଲ୍ଲୀ: ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜରେ ଅଷ୍ଟ୍ରେଲିଆ ଉପରେ ଉଲ୍ଲେଖନୀୟ 2-1 ସିରିଜ୍ ବିଜୟ ପରେ ଭାରତ ମଙ୍ଗଳବାର ଦିନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ମାନ୍ୟତାର ଶୀର୍ଷରେ ପହଞ୍ଚି ଯାଇଛି । ଭାରତ ବର୍ତ୍ତମାନ 71.7 ପ୍ରତିଶତ ଏବଂ 430 ପଏଣ୍ଟ ସହ ଟେବୁଲ ଟପରେ ରହିଛି ।
ତେବେ ଚଳିତ ବର୍ଷ ଜୁନ ମାସରେ ହେବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଭାରତକୁ ମାତ୍ର ଆଉ ଦୁଇଟି ବିଜୟ ଆବଶ୍ୟକ ରହିଛି । ସେହିପରି 70 ପ୍ରତିଶତ ଏବଂ 420 ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ 69.2 ପ୍ରତିଶତ ଏବଂ 332 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।
ସୂଚନାଯୋଗ୍ୟ ଯେ, ଲଣ୍ଡନର ଲର୍ଡସରେ ଜୁନ୍ ମାସରେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଖେଳାଯିବ । ଟେବୁଲର ଶ୍ରେଷ୍ଠ ଦୁଇ ଦଳ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱ କ୍ରିକେଟ୍ କାର୍ଯ୍ୟସୂଚୀରେ କୋଭିଡ୍ -19 ବ୍ୟାଘାତ ହେତୁ ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ ପରେ ଜିତିଥିବା ମୋଟ ପଏଣ୍ଟ ଅପେକ୍ଷା ଶତକଡ଼ା ପଏଣ୍ଟ ଚୂଡ଼ାନ୍ତ ସ୍ଥାନଗୁଡିକ ନିର୍ଣ୍ଣୟ କରିବ ।
ତେବେ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଭାରତ ହାତରେ ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ବାକି ଅଛି । ଯାହା ବଳରେ ଭାରତ ଫାଇନାଲରେ ପହଞ୍ଚିବ । ସେପଟେ ତାଲିକାର 4ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ମଧ୍ୟ ଫାଇନାଲ ଟିକେଟ ପାଇଁ ଜି-ଜାନ ଲଗାଇ ଦେବ । ତେବେ ଆସନ୍ତୁ ଜାଣିକା ଫାଇନାଲ ଟିକେଟ ଲାଗି କେଉଁ ଦଳ ପାଇଁ କଣ ହେବ ବିଜୟ ସମୀକରଣ....
ଭାରତ ପାଇଁ କଣ ହେବ ବିଜୟ ସମୀକରଣ:
ଭାରତ ପାଇଁ ଏକଦମ ଏହା ଏକ ସରଳ ସମୀକରଣ ହୋଇଛି । ବିରାଟ କୋହଲିଙ୍କ ନେତୃତ୍ବାଧିନ ଦଳ ଆସନ୍ତା 4ଟିରୁ ଅତି କମରେ 2ଟି ମ୍ୟାଚ୍ ଜିତିବାକୁ ପଡିବ ଏବଂ ସିରିଜର ଅନ୍ୟ ଦୁଇଟି ମ୍ୟାଚ୍ ହରାଇବାକୁ ପଡିବ ନାହିଁ । ଘରୋଇ ସିରିଜରେ ଇଂଲଣ୍ଡ ବିପକ୍ଷରେ 2-1 ଫଳାଫଳ ସହିତ ସେମାନେ ଯୋଗ୍ୟତା ଅର୍ଜନ କରିପାରିବେ । ମାତ୍ର ଯଦି ଭାରତୀୟ ଦଳ ଦୁଇଟି
ମ୍ୟାଚ୍ ହାରେ, ତେବେ ସେମାନେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡିବେ । ତେଣୁ ଫାଇନାଲ ଟିକେଟ ପାଇଁ ଭାରତର ବିଜୟ ସମୀକରଣ ଏମିତି କିଛି ହେବା ଆବଶ୍ୟକ...
- 4-0, 3-0, 3-1, 2-0, 2-1
ଇଂଲଣ୍ଡ ପାଇଁ କଣ ହେବ ବିଜୟ ସମୀକରଣ:
ଭାରତ ବିପକ୍ଷ ସିରିଜରେ ଇଂଲଣ୍ଡ ଜିତିବା ନିତ୍ୟାନ୍ତ ଆବଶ୍ୟକ। ଜୋ ରୁଟଙ୍କ ଏହି ନେତୃତ୍ୱାଧିନ ଦଳ ଅତି କମରେ 3 ମ୍ୟାଚ୍ ଜିତିବା ଆବଶ୍ୟକ ଏବଂ କେବଳ 1 ମ୍ୟାଚ୍ ହରାଇବାକୁ ପଡିବ । ତେଣୁ ଫାଇନାଲ ଟିକେଟ ପାଇଁ ଇଂଲଣ୍ଡର ବିଜୟ ସମୀକରଣ ଏମିତି କିଛି ହେବା ଆବଶ୍ୟକ...
- 4-0, 3-0, 3-1
ଅଷ୍ଟ୍ରେଲିଆ ପାଇଁ କଣ ହେବ ବିଜୟ ସମୀକରଣ:
ଅଷ୍ଟ୍ରେଲିଆ ଆଶା କରିବା ଉଚିତ୍ ଯେ ଉପରୋକ୍ତ ସମ୍ଭାବ୍ୟ କୌଣସିଟି ବାସ୍ତବରେ ପରିଣତ ହେବ ନାହିଁ । ଯଦି ଭାରତ-ଇଂଲଣ୍ଡ ସିରିଜ୍ ଡ୍ର ହୋଇଛି ତେବେ ଅଷ୍ଟ୍ରେଲିଆ ଫାଇନାଲକୁ ଯିବ। କିମ୍ବା ଯଦି ଭାରତ 2 ରୁ ଅଧିକ ମ୍ୟାଚ୍ ହରାଏ କିମ୍ବା ଇଂଲଣ୍ଡ ଅତି କମରେ 3 ଟି ମ୍ୟାଚ୍ ଜିତିବାରେ ସଫଳ ହୁଏ ନାହିଁ, ତେବେ ଟିମ୍ ପେନଙ୍କ ଦଳ ଫାଇନାଲ୍ ପାଇଁ ଲର୍ଡସ୍ ଅଭିମୁଖେ ଯିବ ।












Click it and Unblock the Notifications