Women's WC: ବିଜୟୀ ଟିମ୍କୁ ମିଳିବ ଏତେ କୋଟି, ରନର୍ସଅପ ଟିମ୍ ଉପରେ ବି ହେବ ଟଙ୍କା ବର୍ଷା
ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଶୋଧମୂଳକ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ଦଳ। ସାତ ଥର ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇ ଭାରତ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି। ରବିବାର, ନଭେମ୍ବର ୨ ତାରିଖରେ ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଛି। ମ୍ୟାଚ୍ଟି ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ନ ୩ଟାରେ ଆରମ୍ଭ ହେବ।
ବିଶ୍ୱକପ୍ ଜିତି ନାହାଁନ୍ତି ଉଭୟ ଦଳ
ଭାରତ କିମ୍ବା ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ମହିଳା ବିଶ୍ୱକପ୍ ଜିତି ନାହାଁନ୍ତି। ଏହା ବିଜେତା ଦଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ। ଟାଇଟଲ୍ ମ୍ୟାଚ୍ଟି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍ ପୂର୍ବରୁ ବିଜେତା ଦଳକୁ ମିଳିବାକୁ ଥିବା ପୁରସ୍କାର ରାଶିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର ବିଶ୍ୱକପ୍ ଜିତିବାକୁ ଥିବା ଦଳ ଉପରେ ଟଙ୍କା ବର୍ଷା ହେବ ବୋଲି ଜଣାପଡ଼ିଛି।

କେତେ ମିଳିବ ପୁରସ୍କାର ରାଶି?
ମହିଳା ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣର ବିଜେତା ଦଳକୁ ୪.୪୮ ମିଲିୟନ ଡଲାର (ପ୍ରାୟ ୪୦ କୋଟି ଟଙ୍କା) ମିଳିବ। ଏହି ରାଶି ୨୦୨୨ରେ ଅଷ୍ଟ୍ରେଲିଆ ପାଇଥିବା ପୁରସ୍କାର ରାଶି (୧.୩୨ ମିଲିୟନ ଡଲାର) ତୁଳନାରେ ୨୩୯ ପ୍ରତିଶତ ଅଧିକ। ସେହିଭଳି ସମାନ ପରିଶ୍ରମ କରିଥିବା ରନର୍ସଅପ ଦଳ ମଧ୍ୟ ଖାଲି ହାତରେ ଘରକୁ ଫେରିବ ନାହିଁ। ମ୍ୟାଚ୍ ହାରିଲେ ବି ସେମାନଙ୍କୁ କୋଟି କୋଟି ଟଙ୍କା ମିଳିବ। ସୂଚନା ମିଳିଛି ଯେ, ରନର୍ସଅପ ଦଳ ୨.୨୪ ମିଲିୟନ ଡଲାର (ପ୍ରାୟ ୨୦ କୋଟି ଟଙ୍କା) ପାଇବେ। ଏହି ପରିମାଣ ୨୦୨୨ ମସିହାରେ ଇଂଲଣ୍ଡ ପାଇଥିବା ରାଶି ଅପେକ୍ଷା ଢ଼େର ଅଧିକ।












Click it and Unblock the Notifications