ଷଷ୍ଠ ପାଇଁ ମହିଳା ଟି-୨୦ ଚାମ୍ପିୟନ୍ ବନିଲା ଅଷ୍ଟ୍ରେଲିଆ
ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ପାଇଁ ଟି୨୦ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ ।

କେପଟାଉନ୍: ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ପାଇଁ ଟି୨୦ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । ଅନ୍ୟପକ୍ଷରେ ପ୍ରଥମ ଥର ଫାଇନାଲ ଖେଳିଥିବା ଦକ୍ଷିଣ ଆଫ୍ରିକାକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଦଳ ତରଫରୁ ବେଥ୍ ମୁନି ଆକର୍ଷକ ୭୪ ରନର ଅପରାଜିତ ପାଳି ଖେଳିଥିଲେ । ସେ ୫୩ଟି ବଲର ସାମ୍ନା କରିଥିବା ବେଳେ ୯ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।
ଅଷ୍ଟ୍ରେଲିଆ ପ୍ରଦତ୍ତ ୧୫୭ ରନର ଲକ୍ଷ୍ୟ ସେତେ ବଡ଼ ନଥିଲା । ହେଲେ ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ଏହି ବଡ଼ ମ୍ୟାଚର ଚାପକୁ ନିୟନ୍ତ୍ରଣ କରିପାରିନଥିଲା । ଓପନର ଲୌରା ଉଲଭାର୍ଟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ ହରାଇ ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ଉଲଭାର୍ଟ ୪୮ଟି ବଲରେ ୫ଟି ଚୌକା ଓ ୩ଟି ଛକା ସହ ସର୍ବାଧିକ ୬୧ ରନ୍ କରିଥିଲେ । କ୍ଲୋଏ ଟ୍ରାଏନ୍ ଦ୍ୱିତୀୟ ସର୍ବାଧିକ ସ୍କୋରର ଭାବେ ୨୫ ରନ୍ କରିଥିଲେ । ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।
ଅଷ୍ଟ୍ରେଲିଆ ପୂର୍ବରୁ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ରେ ମଧ୍ୟ ବିଜେତା ହୋଇଥିଲା । ଅନ୍ୟ ଦୁଇଟି ଦଳ ଇଂଲଣ୍ଡ ୨୦୦୯ ଏବଂ ୱେଷ୍ଟଇଣ୍ଡିଜ୍ ୨୦୧୬ ଥରେ ଲେଖାଏଁ ଏହି ବିଶ୍ବକପ୍ ସମ୍ମାନ ପାଇଛନ୍ତି ।












Click it and Unblock the Notifications