ମହିଳା ଟି୨୦ କ୍ରିକେଟ ବିଶ୍ୱକପ: ପ୍ରଥମରୁ ହାରିଲା ଭାରତ, ନ୍ୟୁଜିଲାଣ୍ଡଠାରୁ ୫୮ ରନରେ ପରାସ୍ତ
ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ ୫୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି ।
ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୦ ରନ କରିଥିଲା। ଭାରତ ୧୯ ଓଭରରେ ୧୦୨ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ଭାରତର ସମସ୍ତ ବ୍ୟାଟର ଏହି ମ୍ୟାଚରେ ଫେଲ୍ ମାରିଥିଲେ । ଅଧିନାୟିକା ହରମନପ୍ରୀତ କୌର ସର୍ବାଧିକ ୧୫ ରନ କରିଥିଲେ। ନ୍ୟୁଜିଲାଣ୍ଡର ରୋସେମାରି ମାଏର ୪ଟି, ଲୀ ତାହୁହୁ ୩ଟି, ଇଡେନ କାର୍ସେନ ୨ଟି ଓ ଆମେଲିଆ କେର ଗୋଟିଏ ଉଇକେଟ ନେଇଥିଲେ।
ଟସ୍ ଜିତି ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୬୭ ରନ ଯୋଗକରି ବଡ଼ ସ୍କୋର ପାଇଁ ପ୍ଲାଟ୍ଫର୍ମ ପ୍ରସ୍ତୁତ କରିଥିଲା। ଓପନର ସୁଜି ବେଟ୍ସ ୨୭ ଓ ଜର୍ଜିଆ ପ୍ଲିମେର ୩୪ ରନ କରିଥିଲେ। ଆମେଲିକା କେର ଯଦିଓ ୧୩ ରନକରି ଆଉଟ ହୋଇ ଯାଇଥିଲେହେଁ ଅଧିନାୟିକା ସୋଫି ଡିଭାଇନ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଭଲ ସ୍କୋର କରି ପାରିଥିଲା।

ଡିଭାଇନ୍ ୩୬ଟି ବଲ୍ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ୫୭ ରନକରି ଅପରାଜିତ ରହିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ରେଣୁକା ସିଂ ୨ଟି ଏବଂ ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ












Click it and Unblock the Notifications