Women's Asia Cup 2024: ବାଂଲାଦେଶକୁ ୧୦ ୱିକେଟରେ ହରାଇ ମହିଳା ଏସିଆ କପ ଫାଇନାଲରେ ଭାରତ, ରେଣୁକା ପ୍ଲେୟର ଅଫ୍ ଦ ମ୍ୟାଚ୍
Women's Asia Cup 2024: ଶ୍ରୀଲଙ୍କାରେ ଚାଲିଥିବା ମହିଳା ଏସିଆ କପ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ଆଜି ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ୪ ଓଭରରେ ୧୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ରେଣୁକା ସିଂହଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । ୮୧ ରନର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ ନ ହରାଇ ୧୧ ଓଭରରେ ହାସଲ କରି ନେଇଥିଲା ଭାରତୀୟ ମହିଳା ଦଳ । ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଯଥାକ୍ରମେ ୫୫ ଓ ୨୬ ରନ୍ କରି ଅପରାଜିତ ରହିଥିଲେ।

ମନ୍ଧାନା ୩୯ଟି ବଲରୁ ୯ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୫ ରନ୍ କରିଥିବା ବେଳେ ଶେଫାଳି ବର୍ମା ୨୮ଟି ବଲ୍ରୁ ୨ଟି ଚୌକା ସହାୟତାରେ ୨୬ ରନ୍ କରିଥିଲେ । ବାଂଲାଦେଶର କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା । ସେମାନଙ୍କ ମଧ୍ୟରୁ କେହି ଭାରତର ଏହି ଓପନିଂ ଯୋଡ଼ିଙ୍କୁ ଭାଙ୍ଗି ପାରି ନଥିଲେ ।
ଅନ୍ୟପକ୍ଷରେ ବାଂଲାଦେଶ ତରଫରୁ ଅଧିନାୟିକା ନିଗାର ସୁଲତାନା ଓ ଶୋରନା ଅଖତରଙ୍କୁ ଛାଡ଼ି ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ବ୍ୟାଟର ଏକ ଅଙ୍କ ପାର କରି ପାରି ନଥିଲେ । ନିଗାର ସୁଲତାନା ୫୧ଟି ବଲ୍ରୁ ୩୨ ନ୍ କରିଥିବା ବେଳେ ଶୋରନା ଅଖତର ୧୮ଟି ବଲ୍ରୁ ୧୯ ରନ୍ କରିଥିଲେ । ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ୬, ୪, ୮,୧,୧ ଓ ୫ ରନ୍ କରିଥିଲେ । ନାହିଦା ଅଖତର ଖାତା ଖୋଲି ପାରି ନଥିବା ବେଳେ ଶୋରନା ଅଖତର ଅପରାଜିତ ରହିଥିଲେ ।
ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।












Click it and Unblock the Notifications