କାହିଁକି କ୍ରିକେଟକୁ ଗୁଡ୍ ବାଏ କହିଲେ ବିଶ୍ୱ ବିଜୟୀ ଅଧିନାୟକ ?
ଇଂଲଣ୍ଡ ବିଶ୍ୱ ବିଜୟୀ ଅଧିନାୟକ ଇଏନ୍ ମୋର୍ଗାନ୍ ଆଜି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରଥମଥର ପାଇଁ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରିଥିବା ଅଧିନାୟକ ମୋର୍ଗାନ୍ ସୋସିଆଲ ମିଡିଆରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଥିବା ଘୋଷଣା କରିଛନ୍ତି ।

Eoin Morgan Retirement: ଆଜି (ସୋମବାର) ମହିଳା ପ୍ରିମିୟର ଲିଗ୍ ଅକ୍ସନ ଉପରେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜର ଥିଲା । ମାତ୍ରା ଏହାର କିଛି ସମୟ ପୂର୍ବରୁ ଇଂଲଣ୍ଡ ବିଶ୍ୱ ବିଜୟୀ ଅଧିନାୟକ ଇଏନ୍ ମୋର୍ଗାନ୍ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଶୁଣାଇ ଥିଲେ। ପ୍ରଥମ ଥର ପାଇଁ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରିଥିବା ସୁପରଷ୍ଟାର ଅଧିନାୟକ ମୋର୍ଗାନ୍ ସୋସିଆଲ ମିଡିଆରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଥିବା ଘୋଷଣା କରିଥିଲେ। ଗତବର୍ଷ ଜୁନ ମାସରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ଗତ କିଛି ଦିନ ଭିତରେ ଏମିତି କଣ ଘଟଣା ଘଟିଲା ଯେ, କ୍ରିକେଟ୍ କୁ ହଠାତ୍ ଗୁଡ ବାଏ କହିଦେଲେ ଏହି ବିଶ୍ୱ ବିଜୟୀ ଅଧିନାୟକ ? ଯାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଇଥିଲେ। ଆଜି ସେ ଏକ ବିବୃତି ଜାରି କରି କ୍ରିକେଟକୁ ଅଲବିଦା କହିଛନ୍ତି । ଏଥିସହ ତାଙ୍କୁ ଦୀର୍ଘବର୍ଷ ହେଲା ସମର୍ଥନ କରିଆସିଥିବା ଲୋକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ୩୬ ବର୍ଷୀୟ ଏହି କ୍ରିକେଟ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥିସହତ ସେ ବହୁତ ବିଚାର ବିମର୍ଶ କରି ଏହି ଖେଳଠୁ ଦୂର ହେବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।
ମୋର୍ଗାନ କହିଛନ୍ତି, "ଅନେକ କିଛି ଚିନ୍ତା କରିବା ପରେ କ୍ରିକେଟକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ବର୍ଷ ହେଲା ମୋତେ ଅନେକ କିଛି ଦେଇ ଆସିଥିବା ଖେଳକୁ ଛାଡ଼ିବା ପାଇଁ ଏଇଟା ହିଁ ଉପଯୁକ୍ତ ସମୟ। ୨୦୦୫ରେ ଇଂଲଣ୍ଡକୁ ଆସି ମିଡିଲେସେକ୍ସ ସହ ସାମିଲ ହେବା ପର ଠାରୁ ଦକ୍ଷିଣ ଆଫ୍ରିକା ଟି-୨୦ରେ ପର୍ଲ ରୟାଲ୍ସ ପାଇଁ ଖେଳିବା ଯାଏ ମୁଁ ବହୁତ ଉପଭୋଗ କରିଛି। କ୍ରିକେଟ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ମୁଁ ଯାଇଛି ଓ ସେଠାରେ ଅନେକ ଚମତ୍କାର ଲୋକଙ୍କୁ ଭେଟିଛି। ଅନେକଙ୍କ ସହ ଜୀବନବ୍ୟାପୀ ବନ୍ଧୁତା ମଧ୍ୟ ସ୍ଥାପନ କରିଛି। ଏଥିପାଇଁ କ୍ରିକେଟକୁ ଧନ୍ୟବାଦ। ସାରା ବିଶ୍ୱରେ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ସମୟରେ ଅନେକ ସ୍ମୃତି ସାଉଁଟିଛି। ସେହି ସ୍ମୃତି ଗୁଡ଼ିକ ସବୁଦିନ ମୋ ସହ ରହିବ।"
ଇଂଲଣ୍ଡର ଏହି ବିଶ୍ୱକପ୍ ବିଜୟୀ ଅଧିନାୟକ ୨୦୧୯ ମସିହାରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ୍ କରାଇଥିଲେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ କରି ଦିନିକିଆ ବିଶ୍ୱକପ୍ ଜିତିଥିଲା । ନିଜ କ୍ୟାରିୟର ଭିତରେ ମୋର୍ଗାନ୍ ୧୨୬ଟି ଦିନିକିଆ ଓ ୭୨ଟି ଟି-୨୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଯେଉଁଥିରୁ ମିଳିତ ଭାବେ ସେ ୧୧୮ଟି ମ୍ୟାଚରେ ବିଜୟୀ ହେବାର ରେକର୍ଡ ଅର୍ଜନ କରିଛନ୍ତି ।
ତେବେ ମୋର୍ଗାନ କେବଳ ଇଂଲଣ୍ଡର ନେତୃତ୍ୱ ନେଇ ନଥିଲେ । ସେ ଦି ହଣ୍ଡରେଣ୍ଡରେ ଲଣ୍ଡନ ସ୍ପିରିଟ୍ ଓ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମଙ୍ଗ ମଧ୍ୟ ସମ୍ଭାଳିଥିଲେ । ୨୦୧୨ରେ ମୋର୍ଗାନ ଇଂଲଣ୍ଡ ଟି-୨୦ ଟିମର ଅଧିନାୟକ ପଦ ପାଇଥିଲେ ।
ମୋର୍ଗାନ ୨୦୦୬ରେ ପ୍ରଥମେ ଆୟର୍ଲ୍ୟାଣ୍ତ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ । ହେଲେ ଏହାର ୪ ବର୍ଷ ପରେ ସେ ଇଂଲଣ୍ଡ ପାଇଁ ଟି-୨୦ରେ ଡେବ୍ୟୁ କରି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଇଂଲଣ୍ଡ ପାଇଁ ସେ ୨୨୫ଟି ଦିନିକିଆ ଓ ଆୟର୍ଲ୍ୟାଣ୍ତ ୨୩ଟି ଦିନିକିଆ ଖେଳିଛନ୍ତି। ମୋଟ ୨୪୮ଟି ଦିନିକିଆରେ ସେ ୭,୭୦୧ ରନ କରିଛନ୍ତି । ଏଥିରେ ୧୪ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ରହିଛି ।












Click it and Unblock the Notifications