କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ: ପରସ୍ପରକୁ କଲେ ଅନଫଲୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି ।
ଚଳିତ ଆଇପିଏଲ 2023ରେ ଶନିବାର ଖେଳା ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମ୍ୟାଚରେ କୋହଲି ଓ ସୌରଭଙ୍କ ଆଚରଣ ଉଭୟଙ୍କ ତିକ୍ତତାକୁ ପଦାକୁ ଆଣିଛି । ତେବେ ଉଭୟ ସେଲିବ୍ରିଟି ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି ।
ଅନ୍ୟପଟେ ସୋସିଆଲ ମିଡିଆରେ ଏବେ ଦୁଇଟି ଭିଡିଓ ଭାଇରାଲ ହେଉଛି । ଗତ ଶନିବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ କୋହଲି ଏକ କ୍ୟାଚ୍ ଧରିବା ପରେ ଦିଲ୍ଲୀ ଡ୍ରେସିଂ ରୁମ ଆଡକୁ ଚାହିଁ ନିଜ ଆଗ୍ରେସନ ଦେଖାଉଛନ୍ତି । ଯେଉଁଠି ଦିଲ୍ଲୀ ଡ୍ରେସିଂ ରୁମ୍ରେ ହେଡ୍ କୋଚ୍ ରିକି ପଣ୍ଟିଂ ଓ ଡାଇରେକ୍ଟର ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ । କୋହଲିଙ୍କ ଚାହାଣୀରୁ ଜଣାପଡୁଥିଲା ଯେ, ସେ କିଛି ଜଣାଇବାକୁ ଚାହୁଁଛନ୍ତି ।

ସେପଟେ ଅନ୍ୟ ଏକ ଭିଡିଓରେ ଗାଙ୍ଗୁଲି ଜାଣିଶୁଣି କୋହଲିଙ୍କୁ ଅଣଦେଖା କରିଥିବା ଚର୍ଚ୍ଚା ହେଉଛି । ପଡ଼ିଆ ମଧ୍ୟରେ ଖେଳାଳି ଓ କୋଚ ପରସ୍ପର ସହ ହାତ ମିଳାଉ ଥିବାବେଳେ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କ ଆଡକୁ ଅନାଇ ନଥିଲେ ।
ସେହିପରି ଆରସିବିର ସିଏସକେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । କୋହଲି ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ପ୍ୟାଡ୍ ପିନ୍ଧି ଡଗ୍ଆଉଟ୍ରେ ବସିଥିଲେ। ଗାଙ୍ଗୁଲି ସେହି ବାଟଦେଇ ଯାଇଥିଲେ ବି କୋହଲିଙ୍କ ଆଡ଼କୁ ଆଦୌ ଆଖି ବୁଲାଇନଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ, ନଭେମ୍ବର ୨୦୨୧ରେ କୋହଲିଙ୍କୁ ଦିନିକିଆ ନେତୃତ୍ବରୁ ହଟାଇବାରେ ଗାଙ୍ଗୁଲିଙ୍କ ଭୂମିକା ଥିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଛାଡ଼ିବା ପରେ ତାଙ୍କୁ ଦିନିକିଆ ଦାୟିତ୍ବରୁ ମଧ୍ୟ ହଟାଇ ଦିଆଯାଇଥିଲା। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ବୋଲି ଗାଙ୍ଗୁଲି କହିଥିଲା ବେଳେ ଟ୍ବେଣ୍ଟି-୨୦ ଦାୟିତ୍ବ ନଛାଡ଼ିବା ପାଇଁ କୋହଲିଙ୍କୁ ଅନୁରୋଧ କରିଥିବା ଗାଙ୍ଗୁଲି ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ନେତୃତ୍ବ ନେବା ଦାୟିତ୍ବରୁ ଓହରିବା ସଂକ୍ରାନ୍ତରେ କେହି ବି ଆଲୋଚନା କରିନଥିବା କହିଥିଲେ। ଏହାପରଠୁ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିବା ଆଲୋଚନା ହେଉଛି ।












Click it and Unblock the Notifications