୧୦୨୧ ଦିନ ଅପେକ୍ଷାର ଅନ୍ତ, ବିରାଟ କୋହଲିଙ୍କ ବ୍ୟାଟରୁ ଆସିଲା ୭୧ତମ ଶତକ
ଗୁରୁବାର ଖେଳାଯାଉଥିବା ଏସିଆ କପ ସୁପର ଫୋରର ଭାରତ-ଆଫଗାନିସ୍ତାନ ମୁକାବିଲାରେ କୋହଲି ହିଟ୍ କରିଛନ୍ତି ତାଙ୍କର ବହୁ ପ୍ରତିକ୍ଷୀତ ୭୧ ତମ ଅନ୍ତର୍ଜାତୀୟ ଶତକ ।
ଦୁବାଇ: ମୁକୁଟ ବିହୀନ ସମ୍ରାଟ୍ । ଭାରତୀୟ ସ୍କୋର ବୋର୍ଡର ରନ ମେସିନ । କୋଟି କୋଟି କ୍ରିକେଟପ୍ରେମୀଙ୍କ ଭାବପ୍ରବଣତା । ସେ କିଙ୍ଗ । ସେ କୋହଲି । ଏକ ଅର୍ଥରେ କହିବାକୁ ଗଲେ ସେ ହେଉଛନ୍ତି କିଙ୍ଗ କୋହଲି । ଦ କିଙ୍ଗ ଇଜ୍ ବ୍ୟାକ୍ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଏହି ହ୍ୟାସ୍ ଟ୍ୟାଗ୍ । ଆଉ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ସୋସିଆଲ ମିଡିଆ ଟାଇମ ଲାଇନରେ ଏବେ ଏମିତି କିଛି ଲେଖା ଦେଖିବାକୁ ମିଳୁଛି । କାରଣ ଘଟିଛି ୧୦୨୧ ଦିନ ଅପେକ୍ଷାର ଅନ୍ତ । କୋହଲିଙ୍କ ବ୍ୟାଟରୁ ଆସିଛି ବହୁ ପ୍ରତିକ୍ଷୀତ ୭୧ ତମ ଶତକ । ଗୁରୁବାର ଖେଳାଯାଉଥିବା ଏସିଆ କପ ସୁପର ଫୋରର ଭାରତ-ଆଫଗାନିସ୍ତାନ ମୁକାବିଲାରେ କୋହଲି ହିଟ୍ କରିଛନ୍ତି ତାଙ୍କର ବହୁ ପ୍ରତିକ୍ଷୀତ ୭୧ ତମ ଅନ୍ତର୍ଜାତୀୟ ଶତକ ।

ତେବେ ଏହା ହେଉଛି ଟି-୨୦ ଇଣ୍ଟରନ୍ୟାସନାଲରେ ତାଙ୍କର ପ୍ରଥମ ଶତକ । ସେ ୩ ବର୍ଷ ପରେ ଏକ ଶତକ ହାସଲ କରିଛନ୍ତି । ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ। ଏହା ପରଠାରୁ ସେ ନିଜର ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇ ଚାଲିଥିଲେ। ସେ ଆଜି ମାତ୍ର ୬୧ଟି ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି । ଏହି ଶତକୀୟ ଇନିଂସ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି ।
ଅନ୍ୟପଟେ ଜଣେ ଭାରତୀୟ ଖେଳାଳି ହିସାବରେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ବ୍ୟକ୍ତିଗତ ରନ ସ୍କୋର କରିଛନ୍ତି । ବିରାଟ ବିଶ୍ୱର ଦ୍ୱିତୀୟ ବ୍ୟାଟର ଭାବେ ଟି-୨୦ରେ ୩୫ଶହ ରନ ପୂରଣ କରିଛନ୍ତି । ସେହିପରି ତୃତୀୟ ବରିଷ୍ଠ ଭାରତୀୟ ଭାବେ ଟି-୨୦ରେ ଶତକ ହାସଲ କରିଛନ୍ତି । ବିରାଟ ୩୩ ବର୍ଷ ୩୦୭ ଦିନ ବୟସରେ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି । ତାଙ୍କ ତଳେ ସୂର୍ଯ୍ୟ କୁମାର ଯାଦବ ୩୧ ବର୍ଷ ୨୯୯ ଦିନ ବୟସ ଓ ରୋହିତ ଶର୍ମା ୩୧ ବର୍ଷ ୧୯୦ ଦିନ ବୟସରେ ନିଜ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଥିଲେ । ବିରାଟ ଟେଷ୍ଟ ମ୍ୟାଚରେ ୨୭ଟି, ଦିନିକିଆରେ ୪୩ଟି ଓ ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି ।












Click it and Unblock the Notifications