ଶେଷରେ ମୁହଁ ଖୋଲିଲେ କୋହଲି: କହିଲେ, କେମିତି ଛଡାଇ ନିଆଗଲା ଅଧିନାୟକ ପଦ !
"ଟେଷ୍ଟ ଟିମ୍ ଚୟନ ପାଇଁ ଫୋନ ଆସିଲା, ଆଲୋଚନା ହେଲା । ପୂର୍ବରୁ କୌଣସି ଯୋଗାଯୋଗ ନଥିଲା ଏବଂ ଶେଷରେ କହିଲେ, ମୁଁ ଆଉ ଦିନିକିଆରେ ଦଳର ଅଧିନାୟକ ନୂହେଁ ।"
ମୁମ୍ବାଇ: "ଟେଷ୍ଟ ଟିମ୍ ଚୟନ ପାଇଁ ଫୋନ ଆସିଲା, ଆଲୋଚନା ହେଲା । ପୂର୍ବରୁ କୌଣସି ଯୋଗାଯୋଗ ନଥିଲା ଏବଂ ଶେଷରେ କହିଲେ, ମୁଁ ଆଉ ଦିନିକିଆରେ ଦଳର ଅଧିନାୟକ ନୂହେଁ ।" ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆୟୋଜିତ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏମିତି ବ୍ରହ୍ମାସ୍ତ୍ର ଛାଡିଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ପାଇଁ ଉପଲବ୍ଧ ରହିବା, ଟି-20 ଅଧିନାୟକତ୍ବ ଛାଡିବା ଓ ଦିନିକିଆ ଅଧିନାୟକ ପଦରୁ ତଡା ଖାଇବା ପରି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କୋହଲି ।

କେମିତି ଗଲା ଦିନିକିଆ ଅଧିନାୟକ ପଦ ?
"ଟେଷ୍ଟ ଦଳ ଚୟନର ଦେଢ ଘଣ୍ଟା ପୂର୍ବରୁ ମୋତେ ଯୋଗାଯୋଗ କରାଯାଇଥିଲା। କୌଣସି ପୂର୍ବ ଯୋଗାଯୋଗ ନଥିଲା । ମୁଖ୍ୟ ଚୟନକର୍ତ୍ତା ଟେଷ୍ଟ ଦଳ ଉପରେ ଆଲୋଚନା କରିଥିଲେ। ଏବଂ ଶେଷରେ, ମୋତେ କୁହାଗଲା ଯେ ମୁଁ ଅଧିନାୟକ ହେବି ନାହିଁ ଏବଂ ମୁଁ କହିଲି ଠିକ୍ ଅଛି । କୌଣସି ପୂର୍ବ ଯୋଗାଯୋଗ ନଥିଲା। " କୋହଲି
କାହିଁକି ଗଲା ଅଧିନାୟକ ପଦ ?
ତେବେ ଦିନିକିଆ ଦଳ ପାଇଁ କୋହଲିଙ୍କ ହାତରୁ ଅଧିନାୟକ ପଦ ଯିବାର କାରଣ ପଚରାଯାଇଥିଲା । ଯାହାର ସେ ଏମିତି ଉତ୍ତର ଦେଇଥିଲେ । ସେ କହିଥିଲେ, " କାରଣ ? ଆଜ୍ଞା ହଁ ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ନାହୁଁ । ମୁଁ ବୁଝି ପାରିଛି କାହିଁକି, ଏହି ନିଷ୍ପତ୍ତି ନିଆଗଲା । "
ଉଲ୍ଲେଖଥାଉ କି, କୋହଲି ଟି-20 ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଦିନିକିଆ ଦଳକୁ ଆଗେଇ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ବିସିସିଆଇ ରୋହିତ ଶର୍ମାଙ୍କୁ ସୀମିତ ଓଭରର ଉଭୟ ଫର୍ମାଟ ପାଇଁ ଡିସେମ୍ବର 8ରେ ଭାରତର ନୂତନ ଅଧିନାୟକ ଓ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଟେଷ୍ଟ ଉପ-ଅଧିନାୟକ ଭାବରେ ଘୋଷଣା କରିଥିଲା ।
ଏହା ପରେ ରୋହିତ ରବିବାର ଦିନ ହାମଷ୍ଟ୍ରିଂ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ବାଦ ପଡିଥିଲେ । ଯେଉଁଥିରେ କୋହଲି ଭାରତୀୟ ଦଳର ନେତୃତ୍ୱ ନେବେ। ତା'ପରେ ତାଙ୍କ ଝିଅର ପ୍ରଥମ ଜନ୍ମଦିନ ହେତୁ କୋହଲି ସମ୍ଭବତଃ ଦିନିକିଆ ସିରିଜ ପାଇଁ ଉପଲବ୍ଧ ନରହି ପାରନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଯାହା ପରେ ଆଜି ଏହାକୁ ନେଇ ମୁହଁ ଖୋଲିଛନ୍ତି କୋହିଲ ।
ଦିନିକିଆ ସିରିଜ ପାଇଁ ଉପଲବ୍ଧ ରହିବେ ତ ?
"ମୁଁ ଉପଲବ୍ଧ ଏବଂ ଚୟନ ପାଇଁ ଉପଲବ୍ଧ ଅଛି। ଆପଣ ଏମିକି ପ୍ରଶ୍ନ ପଚାରିବା ଉଚିତ୍ ନୁହେଁ। ଆପଣ ଏଗୁଡିକ ସେମାନଙ୍କୁ ପଚାରନ୍ତୁ, ଯେଉଁମାନେ ଏହି ସବୁ ଲେଖୁଛନ୍ତି ଓ ଯେଉଁମାନେ ସେହି ଲେଖିଲା ବାଲାଙ୍କୁ କହୁଛନ୍ତି । ମୁଁ ଯେତେ ଦୂର ଚିନ୍ତା କରୁଛି, ଚୟନ ପାଇଁ ମୁଁ ସର୍ବଦା ଉପଲବ୍ଧ ଅଟେ।" କୋହଲି ବୁଧବାର ଗଣମାଧ୍ୟମକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନଭେମ୍ବର ଆରମ୍ଭରେ ୟୁଏଇରେ ହେବାକୁ ଥିବା ଆଇସିସି ଟି-20 ବିଶ୍ୱକପ ପରଠାରୁ ରୋହିତ ଏବଂ କୋହଲି ପରସ୍ପର ସହ ଖେଳି ନାହାଁନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କୋହଲି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସୋସିଆଲ ମିଡିଆରେ ଭାସୁଥିବା ଗୁଜବର ଶେଷରେ ସେ ଅନ୍ତ କରିଛନ୍ତି ।












Click it and Unblock the Notifications