ହଜାର କୋଟିରେ ପହଞ୍ଚିଲା କୋହଲିଙ୍କ ସମ୍ପତ୍ତି: ପ୍ରତି Instagram ପୋଷ୍ଟ ପାଇଁ ନିଅନ୍ତି ୮ କୋଟି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଏହାସହ ରୋଜଗାର ମାମଲାରେ ବି ଏବେ ସମୟରେ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ ହଜାର କୋଟି ପାର ହୋଇଛି ।

ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିବା ସହିତ ତାଙ୍କର ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚି ଯାଇଛି । ଟିମ୍ ଇଣ୍ଡିଆର 'ଏ' କ୍ୟାଟେଗୋରୀ ଖେଳାଳି ହିସାବରେ ସେ ୭ କୋଟି ପାଉଛନ୍ତି । ଏଥିସହିତ ସେ ପ୍ରତି ଦିନିକିଆରୁ ୬ ଲକ୍ଷ, ଟେଷ୍ଟରୁ ୧୫ ଲକ୍ଷ ଓ ଟି-୨୦ରୁ ୨୦ ଲକ୍ଷ ଟଙ୍କା ପାଉଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୁ ସେ ବାର୍ଷିକ ୧୫ କୋଟି ଆୟ କରୁଛନ୍ତି ।
ଏକ ଜାତୀୟ ସଂସ୍ଥା ଷ୍ଟକ ଗ୍ରୋ ମୁତାବକ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚିଛି । ବିରାଟ କୋହଲିଙ୍କର ଖେଳ ବ୍ୟତୀତ ଅନ୍ୟ ସ୍ଥାନରୁ ମଧ୍ୟ ରୋଜଗାର ରହିଛି । ବିରାଟ କୋହଲି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ତରଫରୁ ଖେଳୁଛନ୍ତି । ବିରାଟ ଆଇପିଏଲର ଗୋଟିଏ ସିଜିନ ପାଇଁ ୧୫ କୋଟି ଟଙ୍କା ନେଉଛନ୍ତି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡସର ମାଲିକ ମଧ୍ୟ ଅଛନ୍ତି । ଯେଉଁଥିରୁ ତାଙ୍କୁ ସର୍ବାଧିକ ରୋଜଗାର ମିଳୁଛି ବୋଲି କୁହାଯାଉଛି ।
ବିରାଟ ୧୮ଟି ବ୍ରାଣ୍ଡ ସହିତ ଚୁକ୍ତିବଦ୍ଧ ହୋଇଥିବା ବେଳେ ବିଜ୍ଞାପନ ଶୁଟିଂ ବାବଦକୁ ସେ ବର୍ଷକୁ ୭-୧୦ କୋଟି ଆୟ କରୁଛନ୍ତି । ଏଭଳି ବିଭିନ୍ନ ବ୍ରାଣ୍ଡର ପ୍ରଚାର ପ୍ରସାରରୁ ସେ ୧୭୫ କୋଟି ଟଙ୍କା ପାଉଛନ୍ତି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରୁ ସେ ୮.୯ କୋଟି ଓ ଟ୍ୱିଟରରେ ପ୍ରତି ପୋଷ୍ଟରୁ ୨.୫ କୋଟି ପାଉଛନ୍ତି । ବିରାଟଙ୍କର ମୁମ୍ବାଇରେ ୩୪ କୋଟି ଓ ଗୁରୁଗ୍ରାମରେ ୮୦ କୋଟିର ଦୁଇଟି ବିଳାସପୂର୍ଣ୍ଣ ଅଟ୍ଟାଳିକା ରହିଛି । ବିରାଟଙ୍କ ପାଖରେ ଅନେକ ଦାମୀ କାର ରହିଛି ।












Click it and Unblock the Notifications