ବିରାଟ କୋହିଲଙ୍କୁ ଆଇସିସି ଦେଲା ବଡ଼ ସମ୍ମାନ
ଅକ୍ଟୋବର ମାସ ପାଇଁ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର (ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ) ଜିତିଛନ୍ତି ବିରାଟ କୋହଲି । ଆଜି ବିରାଟଙ୍କୁ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
ଦୁବାଇ: ଫେରିଲା ଫର୍ମ । ଚମକିଲେ ବିରାଟ୍ । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ସମ୍ମାନିତ କଲା ଆଇସିସି । ଅକ୍ଟୋବର ମାସ ପାଇଁ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର (ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ) ଜିତିଛନ୍ତି ବିରାଟ କୋହଲି । ଆଜି ବିରାଟଙ୍କୁ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି ।

ଗତ ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଛନ୍ତି । ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୫ଟି ମ୍ୟାଚ୍ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି। ସୁପର-୧୨ ରାଉଣ୍ଡ ଶେଷ ହେବା ପରେ କୋହଲି ଏହି ଟୁର୍ଣ୍ଣାମେଣ୍ଟର ଶୀର୍ଷ ସ୍କୋରର ଅଟନ୍ତି । ୫ ଟି ମ୍ୟାଚରେ ତାଙ୍କର ୧୨୩ ହାରାହାରିରେ ୨୪୬ ରନ୍ ଅଛି । ଅକ୍ଟୋବର ମାସ ପାଇଁ ତାଙ୍କୁ 'ଆଇସିସିର ପ୍ଲେୟାର ଅଫ୍ ଦି ମନ୍ଥ' ସମ୍ମାନରେ ସମ୍ମାନିତ କରାଯାଇଛି ।
କୋହଲି ପ୍ରଥମ ଥର ପାଇଁ ଆଇସିସିର ପ୍ଲେୟାର ଅଫ୍ ଦି ମାସ ବିବେଚିତ ହୋଇଛନ୍ତି । ବିରାଟଙ୍କ ସହ ଏହି ମାସିକ ପୁରସ୍କାର ପାଇବା ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲିର ଓ ଜିମ୍ବାୱେର ସିକନ୍ଦର ରାଜା ରହିଥିଲେ। ଉଭୟଙ୍କୁ ପଛରେ ପକାଇ ବିରାଟ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ସମ୍ମାନ ହାତେଇଛନ୍ତି।
ବିରାଟ ଆଜି ଆଇସିସି ପୁରସ୍କାର ଜିତିବା ପରେ କହିଛନ୍ତି, "ଆଇସିସି ଦ୍ୱାରା ଅକ୍ଟୋବରର ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ସମ୍ମାନର ବିଷୟ। ବିଶ୍ୱର ଫ୍ୟାନ୍ସ ଓ ପ୍ୟାନେଲମାନଙ୍କ ଦ୍ୱାରା ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହେବା ଆହୁରି ଗର୍ବର ବିଷୟ।"
ଏଥିସହିତ ପାକିସ୍ତାନର ଅଲରାଉଣ୍ଡର ନିଦା ଡାରଙ୍କୁ ମହିଳା ବର୍ଗରେ ଆଇସିସି ମହିଳା ପ୍ଲେୟାର ଅଫ୍ ଦି ମନ୍ଥ ଭାବେ ମଧ୍ୟ ମନୋନୀତ କରାଯାଇଛି । ପୂର୍ବ ମାସରେ ପାକିସ୍ତାନର ମହମ୍ମଦ ରିଜୱାନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଭାରତର ହରମନପ୍ରୀତ କୌର ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।












Click it and Unblock the Notifications