ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ବିରାଟଙ୍କୁ ବିଶ୍ରାମ
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ(BCCI) । ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି।
ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ(BCCI) । ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଦଳକୁ କେ.ଏଲ୍ ରାହୁଲ ଓ କୁଲଦୀପ ଯାଦବ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପଟେ ଏହି ସିରିଜରୁ ବାଦ୍ ପଡିଛନ୍ତି ବିରାଟ କୋହଲି। ତାଙ୍କୁ ବିଶ୍ରାମ ଦିଆଯାଇଛି । ଏଥିସହ ଯସପ୍ରୀତ ବୁମରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇନାହିଁ। ତାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

ତେବେ ରାହୁଲ ଓ କୁଲଦୀପ ସମ୍ପୂର୍ଣ୍ଣ ଫିଟ୍ ହେଲେ ହିଁ ଏହି ସିରିଜ୍ରେ ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ସେହିଭଳି ଚହଲଙ୍କ ବଦଳରେ ଦଳରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇଛି । ବିରାଟ ଓ ବୁମ୍ରାଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି, ଯିଏ ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅଂଶ ହେବ ନାହିଁ । କ୍ରମାଗତ ତିନିଟି ସିରିଜ୍ ପାଇଁ ଉମ୍ରାନ୍ ମଲିକ୍ ମନୋନୀତ ହୋଇଥିଲେ, ଯେଉଁଥିରେ ସେ ଦୁଇଟି ସୁଯୋଗ ପାଇଥିଲେ, କିନ୍ତୁ ଚତୁର୍ଥ ସିରିଜରେ ସେ ଡ୍ରପ୍ ହୋଇଛନ୍ତି । ଏହା ବ୍ୟତୀତ ରୁତୁରାଜ ଗାଇକ୍ଵାଡ ଓ ସଞ୍ଜୁ ସାମସନଙ୍କୁ ମଧ୍ୟ ଡ୍ରପ କରାଯାଇଛି । ସାମସନ ଯଦିଓ ଏକ ଭଲ ଇନିଂସ ଖେଳିଥିଲେ, କିନ୍ତୁ ଗାଇକ୍ଵାଡ ଫର୍ମ ସହ ସଂଘର୍ଷ କରୁଥିବାର ଦେଖାଯାଇଥିଲା ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ରାହୁଲ ଆହତ ହୋଇଥିଲେ। ଏହା ପରେ ସେ ଚିକିତ୍ସା ପାଇଁ ଜର୍ମାନୀ ଯାଇଥିଲେ। ନିକଟରେ ସେଠାରୁ ସେ ଫେରିଛନ୍ତି। ସେହିପରି କୁଲଦୀପ ଯାଦବ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ କେବଳ ଫିଟନେସ୍ ପରୀକ୍ଷା ପରେ ଦଳରେ ସ୍ଥାନ ପାଇବେ।
ଇଂଲଣ୍ଡ ସହ ଟି-୨୦ ସିରିଜ ଶେଷ ହେବାପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ । ଜୁଲାଇ ୨୨ ତାରିଖରୁ ଏହି ହ୍ବାଇଟ୍ ବଲ୍ ଗେମ୍ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖରେ ଶେଷ ହେବ । ୨୨ ତାରିଖରୁ ୨୭ ତାରିଖ ଯାଏଁ ଦିନିକିଆ ସିରିଜ୍ ଖେଳାଯିବ । ଏହାପରେ ଜୁଲାଇ ୨୯ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ । ଚଳିତ ବର୍ଷ ପ୍ରାରମ୍ଭରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତ କରିଥିଲା । ଭାରତ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ଖେଳି ଗୋଟିଏ ମଧ୍ୟ ମ୍ୟାଚ୍ରେ ବିଜୟୀ ହୋଇ ପାରିନଥିଲା ୱେଷ୍ଟଇଣ୍ଡିଜ୍ ।
ଟିମ୍ ଇଣ୍ଡିଆ:
- ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, କେ.ଏଲ୍ ରାହୁଲ , ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ , ଆବେଶ ଖାନ, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂ ।
- କେ.ଏଲ୍ ରାହୁଲ ଓ କୁଲଦୀପ ଯାଦବଙ୍କ ଦଳରେ ସାମିଲ ହେବା ତାଙ୍କ ଫିଟନେସ୍ ଟେଷ୍ଟ ଉପରେ ନିର୍ଭର କରିବ ।












Click it and Unblock the Notifications