ଦୀର୍ଘ ତିନି ବର୍ଷ ପରେ ଟେଷ୍ଟ କ୍ରିକେଟରେ ୨୮ତମ ଶତକ ଯୋଡିଲେ ବିରାଟ କୋହଲି
ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ତଥା ଚତୁର୍ଥ ମ୍ୟାଚରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସେ ୨୪୧ଟି ବଲ୍ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି ।

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉ ଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ତଥା ଚତୁର୍ଥ ମ୍ୟାଚରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସେ ୨୪୧ଟି ବଲ୍ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି । ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍ରେ ସେ ୭୫ଟି ଶତକ ପୂରଣ କରିଛନ୍ତି । ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-୨୦ ଗୋଟିଏ ଶତକ ରହିଛି।
ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ମାସ ୨୨ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ 'ପିଙ୍କ୍ ବଲ୍ ଟେଷ୍ଟ୍' ମ୍ୟାଚରେ କୋହଲି ଶେଷ ଥର ପାଇଁ ଶତକ ହାସଲ କରିଥିଲେ । ତେବେ ଦୀର୍ଘ ୩ ବର୍ଷ ହେବ ଶତକ ହାସଲ କରିପାରି ନ ଥିବା କୋହଲି ଆଜି ଶତକ ହାସଲ କରିବା ପରେ ଷ୍ଟାଡିୟମରେ ଖେଳ ଦେଖୁଥିବା ଦର୍ଶକମାନେ ହର୍ଷୋତ୍ଫୁଲ୍ଲିତ ହୋଇ ଉଠିଥିଲେ । ଆଜି ୫୯ ରନ୍ରେ ଇନିଙ୍ଗ୍ସ୍ ପୁନରାରମ୍ଭ କରି କୋହଲି ଧୀରେ ସୁସ୍ଥେ ଖେଳି ବାକି ୪୧ ରନ୍ ସଂଗ୍ରହ କରିବା ପରେ ଏହି ଶତକ ହାସଲ କରିଛନ୍ତି।
ବିରାଟ ଏବେ ବି କ୍ରିଜରେ ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଭାରତ ତା'ର ପ୍ରଥମ ଇନିଂସ୍ରେ ୫ଟି ୱିକେଟ୍ ହରାଇ ୪୧୬ ରନ୍ ସଂଗ୍ରହ କରିଛି।
ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ଟି ୱିକେଟ୍ ହରାଇ ୨୮୯ ରନ୍ କରିଥିଲା । ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ । ଆଜି ପୁଣି ଏହି ଦୁଇ ଜଣ ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ । ତେବେ ଜେଡ଼େଜା ଶୀଘ୍ର ଆଉଟ୍ ହୋଇଯାଇ ଥିଲେ। ସେ ଆଜି ଆଉ ମାତ୍ର ୧୨ ରନ୍ କରିଥିଲେ। ୮୪ଟି ବଲ୍ରୁ ୨୮ ରନ୍ କରି ସେ ଟଡ୍ ମର୍ଫୀଙ୍କ ବଲ୍ରେ ଉସ୍ମାନ୍ ଖ୍ୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।












Click it and Unblock the Notifications