କେନ ୱିଲିୟମସନଙ୍କ ପରେ ଏହି ଖେଳାଳି ହେଲେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ
ଅଧିନାୟକ ପଦ ଛାଡିଲେ କେନ ୱିଲିୟମସନ । ନ୍ୟୁଜିଲାଣ୍ଡର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ କେନ୍ ୱିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।
ୱେଲିଙ୍ଗଟନ୍: ଅଧିନାୟକ ପଦ ଛାଡିଲେ କେନ ୱିଲିୟମସନ । ନ୍ୟୁଜିଲାଣ୍ଡର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ କେନ୍ ୱିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ତେବେ ସେ କେବଳ ଟେଷ୍ଟ ଦଳରୁ ନେତୃତ୍ୱ ଛାଡିଛନ୍ତି । ଆଗକୁ ତାଙ୍କୁ ଦିନିକିଆ ଏବଂ ଟି-୨୦ ଦଳରେ ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିବ ।

ଗତ ଛଅ ବର୍ଷ ମଧ୍ୟରେ ୱିଲିୟମସନ ୪୦ଟି ଟେଷ୍ଟରେ ନ୍ୟୁଜିଲାଣ୍ଡର ନେତୃତ୍ବ ନେଇଛନ୍ତି । ଏଥିମଧ୍ୟରୁ ସେ ରେକର୍ଡ ୨୨ଟି ଜିତିଛନ୍ତି ଓ ୧୦ଟି ହାରିଛନ୍ତି ଏବଂ ୮ଟି ଡ୍ର କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଗତ ବର୍ଷ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତିଥିଲା। ୱିଲିୟମ୍ସନଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୫୫ ରହିଛି । ଅନ୍ୟପକ୍ଷରେ କାମଚଳା ଅଧିନାୟକ ଟମ ଲାଥାମଙ୍କ ଅଧିନାୟକତ୍ୱରେ ୪୩ ଏବଂ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଇଂଲଣ୍ଡ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୩୫ ଥିଲା ।
ତେବେ ଟେଷ୍ଟ ଦଳରେ ସେ ଜଣେ ଖେଳାଳିଙ୍କ ରୂପରେ ଖେଳ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଇସ୍ତଫା ଦେଇ ୱିଲିୟମସନ କହିଛନ୍ତି ଯେ, ଟେଷ୍ଟ କ୍ରିକେଟରେ ଅଧିନାୟକ ପଦରେ ରହିବା ପ୍ରକୃତରେ ଏକ ସମ୍ମାନର ବିଷୟ । ତେବେ ଟେଷ୍ଟ ମ୍ୟାଚ ଖେଳର ଶିଖର ବୋଲି କହିଛନ୍ତି ୱିଲିୟମସନ । ତେବେ ନେତୃତ୍ୱ ଯୋଗୁଁ ପଡିଆ ଏବଂ ବାହାରେ ମଧ୍ୟ ଚାପ ବୃଦ୍ଧି ପାଇଥାଏ । ତେବେ କ୍ୟାରିୟରର ଏପରି ସମୟରେ ମୋର ଏହି ନିଷ୍ପତ୍ତି ନେବା ପାଇଁ ଉଚିତ ବୋଲି ୱିଲିୟମସନ ପ୍ରକାଶ କରିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ସହ ବିଚାର-ବିମର୍ଶ କରିବା ପରେ ଆଗାମୀ ବିଶ୍ୱକପକୁ ନଜରରେ ରଖି ଏବେ କେବଳ ସୀମିତ ଓଭରରେ ଅଧିନାୟକ ପଦ ରଖିବା ଉଚିତ ହେବ ।
ତେବେ ୱିଲିୟମସନ ଟେଷ୍ଟ ଟିମର ନେତୃତ୍ୱ ଛାଡିବା ପରେ ଅଭିଜ୍ଞ ବୋଲର ଟିମ ସାଉଦିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତେବେ ଉପଅଧିନାୟକ ଭାବରେ ଟମ ଲାଥମଙ୍କୁ ନିଯୁକ୍ତ କରିଛି ନ୍ୟୁଜିଲାଣ୍ଡ । ଆସନ୍ତା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରୁ ନ୍ୟୁଜିଲାଣ୍ଡର ୩୧ତମ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ ଟିମ ସାଉଦି ।












Click it and Unblock the Notifications