୫ ଦିନ ନୁହେଁ ୪ ଦିନ ପାଇଁ ହେବ ଟେଷ୍ଟ ମ୍ୟାଚ୍, ଟିମ୍ ଇଣ୍ଡିଆ ଉପରେ ଲାଗୁ ହେବନି ଆଇସିସିର ନିୟମ
ଆକର୍ଷଣୀୟ ହେବ କ୍ରିକେଟର ସବୁଠୁ ଲମ୍ବା ଫର୍ମାଟ୍ ଟେଷ୍ଟ ମ୍ୟାଚ୍ । ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) । ଆଇସିସି ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବା ଡବ୍ଲ୍ୟୁଟିସିରେ କ୍ରିକେଟ ଖେଳୁଥିବା ଛୋଟ ଦେଶଗୁଡ଼ିକ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି ।
ଏହି ପରିବର୍ତ୍ତନ ଦ୍ୱାରା ଛୋଟ କ୍ରିକେଟ ରାଷ୍ଟ୍ରଗୁଡ଼ିକ ଅଧିକ ଟେଷ୍ଟ ଓ ଦୀର୍ଘ ସିରିଜ ଖେଳିପାରିବେ । କିନ୍ତୁ ଏଥିରେ ତିନି ଦେଶକୁ ମିଳିବ କୋହଳ । ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ତାଲିକାରେ ନାହିଁ । ଏମାନେ ଯେମିତି ୫ ଦିନିଆ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ସେପରି ଖେଳିବେ ।
୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ରେ ଦେଖିବାକୁ ମିଳିବ ଟେଷ୍ଟ କ୍ରିକେଟର ନୂଆ ରୂପ । ପାଞ୍ଚ ଦିନ ବଦଳରେ ଖେଳାଯିବ ଚାରି ଦିନିଆ ଟେଷ୍ଟ ମ୍ୟାଚ୍ । ଏହା ସହିତ ଦିନର ଓଭର ସଂଖ୍ୟା ବଢାଯିବ । ଏଥିରେ ଛୋଟ ଛୋଟ ଦେଶକୁ ଅଧିକ ଟେଷ୍ଟ ଏବଂ ଲମ୍ବା ସିରିଜ୍ ଖେଳିବାରେ ବେଶ ସହାୟକ ହେବ ।

ଗତ ସପ୍ତାହରେ ଲର୍ଡ୍ସରେ ଡବ୍ଲ୍ୟୁଟିସି ଫାଇନାଲ୍ ସମୟରେ ହୋଇଥିବା ବୈଠକରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ୨୦୨୭-୨୯ ଡବ୍ଲ୍ୟୁଟିସିର ପାଇଁ ୪ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ନିଜର ସମର୍ଥନ ବ୍ୟକ୍ତ କରିଥିଲେ । ଏହି ନିୟମ ପରେ ବି ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତକୁ ଆସେସ, ବର୍ଡର-ଗାଭାସ୍କର ଟ୍ରଫି ଓ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ପାଇଁ ୫ ଦିନିଆ ଟେଷ୍ଟ ସିରିଜ୍ ଖେଳିବାର ଅନୁମତି ରହିବ ।
ଅନେକ ଛୋଟ ଦେଶ ସମୟ ଏବଂ ଅଧିକ ଖର୍ଚ୍ଚ କାରଣରୁ ଟେଷ୍ଟ ମ୍ୟାଚର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଚାରି ଦିନିଆ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ତିନି ସପ୍ତାହ ଭିତରେ ଖେଳା ଯାଇପାରିବ । ଏହା ସହିତ ଚାରି ଦିନିଆ ଟେଷ୍ଟ କ୍ରିକେଟରେ ପ୍ରତିଦିନ ୯୦ ଓଭର ପରିବର୍ତ୍ତେ ୯୮ ଓଭର ଖେଳାଯିବ । ଏମିତି ହେଲେ ଛୋଟ ଛୋଟ ଦେଶ ଯେପରି ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଜିମ୍ବାଓ୍ଵେ ପରି ଦେଶକୁ ଟେଷ୍ଟ ସିରିଜ୍ ଆୟୋଜନରେ ନୂଆ ଫର୍ମାଟ୍ ବେଶ ସହାୟକ ହେବ ।
ଆଇସିସି ପ୍ରଥମ ଥର ୨୦୧୭ରେ ଦ୍ଵିପାକ୍ଷିକ ମୁକାବିଲା ପାଇଁ ୪ ଦିନିଆ ଟେଷ୍ଟ ସିରିଜକୁ ମଞ୍ଜୁରୀ ଦେଇଥିଲା । ହେଲେ ଏହାକୁ ବ୍ୟାପକ ଭାବେ ଲାଗୁ କରାଯାଇ ନ ଥିଲା । ୨୦୧୯ରେ ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ୪ ଦିନିଆ ଟେଷ୍ଟ ମ୍ୟାଚ୍ ।












Click it and Unblock the Notifications