ତେନ୍ଦୁଲକର ଆଣ୍ଡରସନ୍‌ ଟ୍ରଫି: ଭାରତ ୩୫୮, ଇଂଲଣ୍ଡ ୨୨୫/୨

ଭାରତ ବ୍ୟାକ୍‌ଫୁଟ୍‌ରେ । ଭାରତର ପ୍ରଥମ ପାଳି ୩୫୮ ରନ୍‌ରେ ଅଟକିଯିବା ପରେ ଦ୍ବିତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨ ୱି‌କେଟ୍‌ରେ ୨୨୫ ରନ୍ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି । ଜ୍ୟାକ୍ କ୍ରଲି ଓ ବେନ୍ ‌ଡକେଟ୍‌ଙ୍କ ୧୬୬ ରନ୍ ଓପନିଂ ଭାଗୀଦାରି ଭାରତକୁ ସଂଘର୍ଷ କରିବାକୁ ବାଧ୍ୟ କରିଛି । ଜ୍ୟାକ୍‌ କ୍ରଲି (୮୪)ଙ୍କୁ ରବୀନ୍ଦ୍ର ଜାଡ଼େଜା ଶତକରୁ ବଞ୍ଚିତ ରଖିବା ପରେ ପଦାର୍ପଣକାରୀ ଅଂଶୁଲ କମ୍ବୋଜ ମଧ୍ୟ ବେନ୍ ‌ଡକେଟ୍‌ (୯୪)ଙ୍କୁ ଚକିତ କରି ପ୍ରଥମ ଟେଷ୍ଟ୍ ୱିକେଟ୍‌ ନେଇଛନ୍ତି।

ଗୁରୁବାର ଭାରତ ଏହାର ପୂର୍ବଦିନର ସ୍କୋର ୨୬୪/୪ରୁ ଖେଳ ଆରମ୍ଭ କରିଥିଲା। ଇଂଲଣ୍ଡ ବି ପ୍ରଥମରୁ ଦ୍ବିତୀୟ ନୂଆ ବଲ୍‌ ନେଇଯାଇଥିଲା। ଦ୍ବିତୀୟ ଓଭରରେ ରବୀନ୍ଦ୍ର ଜାଡ଼େଜା (୨୦)ଙ୍କୁ ଜୋଫ୍ରା ଆର୍ଚର ଦ୍ବିତୀୟ ସ୍ଲିପ୍‌ରେ ହ୍ୟାରି ବ୍ରୁକ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ କିନ୍ତୁ ଶାର୍ଦୁଳ ଠାକୁର (୪୧) ଓ ୱାସିଂଟନ୍ ସୁନ୍ଦର (୨୭) ଷଷ୍ଠ ୱିକେଟ୍ ପାଇଁ ୪୮ ରନ୍ ‌ଯୋଡ଼ି ସାମୟିକ ଲଢ଼ିଥିଲେ।

Tendulkar Anderson Trophy

ମେଘୁଆ ଆକାଶ ଭିତରେ କିନ୍ତୁ ମଧ୍ୟାହ୍ଣ ଭୋଜନ ପୂର୍ବରୁ ଶାର୍ଦୁଳ ଠାକୁରଙ୍କୁ ଅର୍ଦ୍ଧଶତକରୁ ବଞ୍ଚିତ ରଖିଥିଲେ ବେନ୍‌ ‌ଷ୍ଟୋକ୍ସ। ବିରତି ପରେ ସୁନ୍ଦର ଓ କମ୍ବୋଜଙ୍କୁ ଶିକାର କରି ବେନ୍ ଷ୍ଟୋକ୍ସ ଚଳିତ ଶୃଙ୍ଖଳାରେ ପ୍ରଥମ ଏବଂ କ୍ୟାରିୟର୍‌ର ପଞ୍ଚମ ୫ ୱିକେଟ୍ ସଫଳତା ପୂର୍ଣ୍ଣ କରିଥିଲେ। ଏହି ସମୟରେ କିଛି ବଡ଼ ସଟ୍‌ ଉପରେ ନିର୍ଭରଶୀଳ ହୋଇଥିବା ପନ୍ତ୍‌ଙ୍କ ଅଫ୍‌ଷ୍ଟମ୍ପ୍‌କୁ ପୁଣି ଜୋଫ୍ରା ଆର୍ଚର ଉଡ଼ାଇ ଦେଇଥିଲେ। ଯନ୍ତ୍ରଣା ଭିତରେ ବ୍ୟାଟିଂ କରିଥିବା ପନ୍ତ୍‌ ଗୁରୁବାର ଷଷ୍ଠ ୱିକେଟ୍ ପତନ ପରେ ଆସି ୨୭ ବଲ୍‌ ଖେଳି ୧୭ ରନ୍ ଯୋଡ଼ିଥିଲେ। ଭାରତର ଲାଞ୍ଜ କାଟିବାକୁ ଇଂଲଣ୍ଡକୁ ଅଧିକ ସମୟ ଲାଗିନଥିଲା। ବୁମ୍‌ରାଙ୍କୁ ନିଜ ତୃତୀୟ ଶିକାର କରି ଆର୍ଚର ଭାରତ ପାଳିକୁ ଶେଷ କରି ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୧୪.୧ ଓଭରରେ ୩୫୮ (ସାଇ ସୁଦର୍ଶନ-୬୧, ଯଶସ୍ବୀ ଜୟସ୍ବାଲ-୫୮, ଋଷଭ ପନ୍ତ୍‌-୫୪, କେଏଲ୍ ରାହୁଲ-୪୬, ଶାର୍ଦୁଳ ଠାକୁର-୪୧, ୱାସିଂଟନ୍ ସୁନ୍ଦର-୨୭, ବେନ୍ ଷ୍ଟୋକ୍ସ-୫/୭୨, ଜୋର୍ଫା ଆର୍ଚର-୩/୭୩, ଲିଆମ୍ ଡ'ସନ୍‌-୧/୪୫, କ୍ରିସ୍ ୱକ୍ସ-୧/୬୬)। ଇଂଲଣ୍ଡ ପ୍ରଥମ ପାଳି: ୪୬ ଓଭରରେ ୨୨୫/୨ (ବେନ୍ ଡକେଟ୍‌-୯୪, ଜ୍ୟାକ୍ କ୍ରଲି-୮୪, ଓଲି ପୋପ୍‌-୨୦*, ଜୋ ରୁଟ୍‌-୧୧*, ରବୀନ୍ଦ୍ର ଜାଡ଼େଜା-୧/୩୭, ଅଂଶୁଲ କମ୍ବୋଜ-୧/୪୮)।

ଭଙ୍ଗା ପାଦରେ ପନ୍ତଙ୍କ ଅର୍ଦ୍ଧଶତକ: ସେହବାଗଙ୍କ ଛକା ରେକର୍ଡର ସମକକ୍ଷ ହେଲେ

ଭାରତୀୟ ୱିକେଟ୍‌ରକ୍ଷକ ତଥା ଉପଅଧିନାୟକ ଋଷଭ ପନ୍ତ ଗୁରୁବାର ଭଙ୍ଗା ପାଦରେ ବ୍ୟାଟିଂ କରିବାକୁ ଆସି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ପାଦ ଅଙ୍ଗୁଳି ଭାଙ୍ଗିବା ପରେ ପ୍ରଥମ ଦିନରେ ଅବସର ଆହତ ହେବାକୁ ବାଧ୍ୟ ହୋଇଥିବା ପନ୍ତ ଦଳୀୟ ହିତକୁ ଆଗରେ ରଖି ଦ୍ବିତୀୟ ଦିନରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ତାଙ୍କର ଏହି ସାହସିକ କାର୍ଯ୍ୟକୁ ମଧ୍ୟ ସମ୍ମାନ ଜଣାଇଥିଲେ ଓଲ୍‌ଡ ଟ୍ରାଫୋର୍ଡ ଦର୍ଶକ। ୧୦୨ତମ ଓଭରରେ ଶାର୍ଦୁଳ ଠାକୁରଙ୍କ ୱିକେଟ୍‌ର ପତନ ପରେ ପନ୍ତ ପଡ଼ିଆରେ ପ୍ରବେଶ କରିବା କ୍ଷଣି ଦର୍ଶକମାନେ ତାଙ୍କୁ ଠିଆ ହୋଇ ଅଭିବାଦନ ଜଣାଇଥିଲେ। ୩୯ ରନ୍‌ରେ ଅପରାଜିତ ଥିବା ପନ୍ତ ଭୀଷଣ ଯନ୍ତ୍ରଣା ସତ୍ତ୍ବେ ଢେର ସମୟ ଯୁଝିଥିଲେ। ୬୯ ବଲ୍‌ରୁ ନିଜ କ୍ୟାରିୟରର ଅଷ୍ଟାଦଶ ଅର୍ଦ୍ଧଶତକ ପୂରଣ କରିଥିଲେ। ଜୋଫ୍ରା ଆର୍ଚରଙ୍କୁ ଏକ ଦର୍ଶନୀୟ ଛକା ମାରି ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟର୍ ତାଲିକାରେ ପୂର୍ବତନ ଓପନର୍ ବୀରେନ୍ଦ୍ର ସେହବାଗଙ୍କ ସମକକ୍ଷ ହୋଇଥିଲେ। ସେହବାଗ ୧୦୪ ଟେଷ୍ଟ୍‌ରୁ ୯୦ ଛକା ମାରିଥିଲା ବେଳେ ପନ୍ତ ମାତ୍ର ୪୬ ଟେଷ୍ଟ୍‌ରୁ ଏହି ସଂଖ୍ୟା ଛୁଇଁଛନ୍ତି। ଏହି ଦୁଇ ଜଣଙ୍କ ପଛକୁ ରହିଛନ୍ତି ରୋହିତ ଶର୍ମା (୮୮), ମହେନ୍ଦ୍ର ସିଂହ ଧୋନି (୭୮) ଓ ରବୀନ୍ଦ୍ର ଜାଡ଼େଜା (୭୪)। ଶେଷରେ ଆର୍ଚରଙ୍କ ବଲ୍‌ରେ ବୋଲ୍ଡ ହେବା ସହ ତାଙ୍କ ୫୪ ରନ୍‌ର ସଂଘର୍ଷପୂର୍ଣ୍ଣ ପାଳିରେ ପୂର୍ଣ୍ଣଛେଦ ପଡ଼ିଥିଲା। ପନ୍ତ ଭଙ୍ଗା ପାଦରେ ବ୍ୟାଟିଂ କରିବା କିନ୍ତୁ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ମୁହଁରେ ପଟି ଲଗାଇ ବୋଲିଂ କରିବାର ଦୃଶ୍ୟକୁ ମନେପକାଇ ଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+