ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ଟେଷ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ୍ରେ ଜିତିଲା ଟିମ ଇଣ୍ଡିଆ
ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ଟେଷ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ୍ରେ ଜିତିଛି ଭାରତୀୟ ଟିମ। ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଖେଳାଳି ନିଜର ଦବଦବା ଦେଖାଇଛନ୍ତି।
ଅଷ୍ଟ୍ରେଲିଆ ପିଏମ ଏକାଦଶ ବିପକ୍ଷ ପିଙ୍କ ବଲରେ ଖେଳା ଯାଉଥିବା ଅଭ୍ୟାସ ମ୍ୟାଚକୁ ଭାରତୀୟ ଟିମ ୬ ୱିକେଟରେ ଜିତି ନେଇଛି । ପିଙ୍କ ବଲରେ ଦ୍ରୁତ ବୋଲର ହର୍ଷିତ ରାଣା ୪ ୱିକେଟ ନେଇଥିବା ବେଳେ ବ୍ୟାଟରେ ଆହତରୁ ଫେରିଥିବା ଶୁବମନ ଗିଲ ଅପରାଜିତ ୫୦ ରନର ଇନିଂସ ଖେଳିଛନ୍ତି ।
ଅଭ୍ୟାସ ମ୍ୟାଚ୍ରେ ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କୁ ଦେଖିବାକୁ ମିଳିନାହିଁ। ଉଭୟ ଅଭ୍ୟାସ ମ୍ୟାଚ ବଦଳରେ ନେଟ୍ସରେ ପ୍ରାଟିସ କରିଛନ୍ତି । ଆସନ୍ତା ୬ ତାରିଖ ଦ୍ୱିତୀୟ ଟେଷ୍ଟ ପାଇଁ ଉଭୟ ନେଟ୍ସରେ ଅଧିକ ସମୟ ବିତାଇଛନ୍ତି। ପର୍ଥ ଟେଷ୍ଟ ଖେଳୁ ନଥିବା ରୋହିତ ଶର୍ମା ଅଭ୍ୟାସ ମ୍ୟାଚ୍କୁ ଫେରିଥିଲେ ହେଁ କେବଳ ୩ ରନ କରିବାକୁ ସକ୍ଷମ ହୋଇଛନ୍ତି ।

ବର୍ଷା ଯୋଗୁ ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ଧୋଇ ହୋଇଯାଇଥିଲା। ଦ୍ୱିତୀୟ ଦିନ ୪୬ ଓଭର ବିଶିଷ୍ଟ କରାଯାଇଥିବା ବେଳେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ପିଏମ ଏକାଦଶ ପକ୍ଷରୁ ଓପନର ସାମ କୋନଷ୍ଟାସ ୯୭ ବଲରେ ୧୦୭ ରନର ଇନିଂସ ଖେଳିଥିଲେ ହେଁ ପୂରା ଟିମ ୪୩.୨ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିପାରି ଥିଲା। ଭାରତ ପକ୍ଷରୁ ରାଣା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଆକାଶ ଦୀପ ୨ଟି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ସଫଳତା ପାଇଥିଲେ।
ମ୍ୟାଚ୍ ଜିତିବା ପାଇଁ ୪୬ ଓଭରରେ ୨୪୧ ରନର ଟାର୍ଗେଟ ମିଳିଥିଲା। ନିୟମିତ ଓପନର ରୋହିତ ଶର୍ମାଙ୍କ ବଦଳରେ ପର୍ଥ ଟେଷ୍ଟରେ ଯାଦୁ ଦେଖାଇଥିବା କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୭୫ ରନ ଯୋଡ଼ିଥିଲେ। ଜୈସୱାଲ ୪୫ ରନ କରି ଆଉଟ ହୋଇଯାଇଥିଲେ।
ଆହତ ସମସ୍ୟାରୁ ଫେରିଥିବା ଶୁବମନ ଗିଲ ୩ନଂରେ ବ୍ୟାଟିଂ କରିଛନ୍ତି। ତାଙ୍କ ସହ ରାହୁଲ କିଛି ସମୟ ବ୍ୟାଟିଂ କରିବା ପରେ ୨୭ ରନରେ ଥିବା ବେଳେ ରିଟାୟାର୍ଡ ହର୍ଟ ହୋଇଥିଲେ। ଏହାପରେ ଅଧିନାୟକ ରୋହିତ ଶର୍ମା ଆସିଥିଲେ। କିନ୍ତୁ ସେ ମାତ୍ର ୩ ରନ କରି ସ୍ଲିପ ଅଞ୍ଚଳରେ ଆଉଟ ହୋଇଯାଇଥିଲେ। ଭାରତ ୯୦ ରନରେ ୨ ୱିକେଟ ହରାଇଥିଲା।
ଏହି ସମୟରେ ଗିଲ ଓ ନୀତୀଶ କୁମାର ରେଡ୍ଡୀ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳକୁ ବିଜୟ ଆଡ଼କୁ ନେଇଥିଲେ। ଏସବୁ ଭିତରେ ଗିଲ ୫୦ ରନ କରି ରିଟାୟାର୍ଡ ହର୍ଟ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ନୀତୀଶ କୁମାର ୩୨ ବଲରେ ୪୨ ରନ କରି ତୃତୀୟ ବ୍ୟାଟର ଭାବେ ଆଉଟ ହୋଇଥିଲେ।
ଏହି ସମୟରେ ଦଳର ସ୍କୋର ୧୮୨ ରହି ଥିଲା। ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ଗତିରେ ରନ ସଂଗ୍ରହ କରି ସ୍କୋରକୁ ୨୧୯ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ଜାଡେଜା ୩୧ ବଲରେ ୨୭ ରନ କରି ଆଉଟ ହୋଇଥିଲେ।
ବାକି ରନ ୱାଶିଂଟନଙ୍କ ବ୍ୟାଟରୁ ବାହାରିଥିଲା। ସେ ଓ ସର୍ଫରାଜ(୧) ଧାର୍ଯ୍ୟ ୪୨.୫ ଓଭରରେ ଭାରତର ସ୍କୋରକୁ ୨୪୨ରେ ପହଞ୍ଚାଇ ବିଜୟ ମୁଣ୍ଡି ମାରିଥିଲେ। କିନ୍ତୁ ଏହା ଏକ ଅଭ୍ୟାସ ମ୍ୟାଚ୍ ହୋଇଥିବାରୁ ଦଳକୁ ବାକି ୧୯ଟି ବଲ ମଧ୍ୟ ଖେଳିବାକୁ ପଡ଼ିଥିଲା।
ବିଜୟ ପରେ ଦଳର ସ୍କୋର ୨୪୫ ଥିବା ବେଳେ ସର୍ଫରାଜ ଆଉଟ ହୋଇଥିଲେ। ଏହାପରେ ଆସିଥିଲେ ଦେବଦତ୍ତ ପାଡିକ୍କଲ। ସେ ଓ ୱାଶିଂଟନ ବାକି ଓଭର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୪୬ ଓଭର ସୁଦ୍ଧା ୨୫୭ ରନରେ ପହଞ୍ଚାଇ ଦେଇଥିଲେ ।
ୱାଶିଂଟନ ୩୬ ବଲରେ ୪୨ ଓ ପାଡିକ୍କଲ ୭ ବଲରେ ୪ ରନ କରି ଅପରାଜିତ ରହିଥିଲେ। ତେବେ ଦମଦାର ଶତକୀୟ ଇନିଂସ ଖେଳିଥିବା ପ୍ରଧାନମନ୍ତ୍ରୀ ଏକାଦଶର ସାମ କୋନଷ୍ଟାସଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି ।












Click it and Unblock the Notifications