ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାର ପ୍ରଥମ ବିଜୟ, ସେପଟେ ପୁଣି ଜିତିଲା ନେଦରଲ୍ୟାଣ୍ଡ୍ସ
ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି । ଟି-୨୦ ବିଶ୍ବକପ ଗ୍ରୁପ-ଏର ଏକ ମ୍ୟାଚରେ ୟୁଏଇକୁ ୭୯ ରନରେ ହରାଇଛି ଶ୍ରୀଲଙ୍କା । ନିଜର ପ୍ରଥମ ମ୍ୟାଚରେ ନାମିବ୍ୟାଠାରୁ ୫୫ ରନରେ ହାରିଯାଇଥିବା ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ ।
ମେଲବର୍ଣ୍ଣ: ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି । ଟି-୨୦ ବିଶ୍ବକପ ଗ୍ରୁପ-ଏର ଏକ ମ୍ୟାଚରେ ୟୁଏଇକୁ ୭୯ ରନରେ ହରାଇଛି ଶ୍ରୀଲଙ୍କା । ନିଜର ପ୍ରଥମ ମ୍ୟାଚରେ ନାମିବ୍ୟାଠାରୁ ୫୫ ରନରେ ହାରିଯାଇଥିବା ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ । ସେପଟେ ଟି-୨୦ ବିଶ୍ୱକପ ଗ୍ରୁପ୍ ପର୍ଯ୍ୟାୟର ଆଜି ନେଦରଲ୍ୟାଣ୍ଡସ ବିଜୟୀ ହୋଇଛି । ଚଳିତ ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସର ଏହା ଦ୍ୱିତୀୟ ବିଜୟ । ଆଜି ନେଦରଲ୍ୟାଣ୍ଡ୍ସ ପ୍ରତିପକ୍ଷ ନାମିବ୍ୟାକୁ ୫ ୱିକେଟରେ ହରାଇଛି ।

ଶ୍ରୀଲଙ୍କାର ପ୍ରଥମ ବିଜୟ
ଆଜିର ମ୍ୟାଚରେ ୟୁଏଇ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ଦଳ ପକ୍ଷରୁ ପଥୁମ ନିଶଙ୍କା ୮୮ ରନ କରିଥିବା ବେଳେ ଧନଞ୍ଜୟ ଡି'ସିଲଭା ୩୩ ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ୟୁଏଇ ପକ୍ଷରୁ କାର୍ତ୍ତିକ ମୟାପ୍ପନ ୩ଟି ଓ ଜହୁର ଖାଁ ୨ଟି ଓ୍ବିକେଟ ନେଇଥିଲେ । ମୟାପ୍ପନ ଚଳିତ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ନେଇଥିଲେ ।
ତେବେ ୧୫୩ ରନର ଲକ୍ଷ୍ୟ ପାଇଥିବା ୟୁଏଇ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଶେଷରେ ପୂରା ଟିମ୍ ମାତ୍ର ୭୩ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୪ ଓଭରରେ ୮ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। ତାଙ୍କ ବ୍ୟତୀତ ଦୁଷ୍ମନ୍ତ ଚାମିରା ମଧ୍ୟ ୩ ସଫଳତା ପାଇଛନ୍ତି। ମହୀଶ ତିକସାନାଙ୍କୁ ୨ଟି, ପ୍ରମୋଦ ମଧୁଶାନ ଓ ଦସୁନ ଶଣକାଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।
ୟୁଏଇର ଚିରାଗ ସୁରି(୧୪), ଆୟନ ଅଫଜଲ ଖାନ(୧୯) ଓ ଶେଷ ଭାଗରେ ଜୁନେଦ ସିଦ୍ଦିକି ୧୮ ରନର ଇନିଂସ ଖେଳିଛନ୍ତି। ଏମାନଙ୍କୁ ଛାଡ଼ି ଦେଲେ ଆଉ କୌଣସି ୟୁଏଇ ବ୍ୟାଟର ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରିପାରି ନଥିଲେ। ଶେଷରେ ପୂରା ଟିମ୍ ୧୭.୧ ଓଭରରେ ୭୩ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଶ୍ରୀଲଙ୍କା ୭୯ ରନରେ ମ୍ୟାଚ୍କୁ ଜିତି ନେଇଛି।
ପୁଣି ଜିତିଲା ନେଦରଲ୍ୟାଣ୍ଡ୍ସ
ଆଜିର ଗ୍ରୁପ-ଏର ମ୍ୟାଚରେ ନେଦରଲାଣ୍ଡସ ଦଳ ନାମିବ୍ୟାକୁ ୫ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୧ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୩ ବଲ ପୂର୍ବରୁ ୫ ୱିକେଟ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।
ଦଳ ପକ୍ଷରୁ ବିକ୍ରମ ଜିତ ସିଂହ ସର୍ବାଧିକ ୩୯ ରନ କରିଥିବା ବେଳେ ମ୍ୟାକ୍ସ ଓ'ଡୋୱଡ ୩୫ ଓ ବାସ୍ ଡେ ଲିଡ୍ ୩୦ ରନର ଇନିଂସ ଖେଳିଥିଲେ। ନେଦରଲ୍ୟାଣ୍ଡ୍ସ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଏହି ମ୍ୟାଚ୍ ଶ୍ରୀଲଙ୍କା ପାଇଁ କର ବା ମର ସଦୃଶ ହେବ।












Click it and Unblock the Notifications